କୋଇଡ଼ା: ପୁଣି ହିଂସାତ୍ମକ କାଣ୍ଡ ଭିଆଇଲେ ମାଓବାଦୀ । ସହିଦ୍ ସପ୍ତାହରେ ରେଲୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ । ଏପରି ଏକ ଘଟଣା ସୁନ୍ଦରଗଡ ଜିଲ୍ଲା ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଘଟିଥିବା ସୂଚନା ମିଳିଛି । କରମପଦା-ରେଞ୍ଜଡ଼ା ମଝିରେ ମାଓବାଦୀମାନେ ରେଲୱେ ଟ୍ରାକକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି । ଏହି ଅଘଟଣରେ ଜଣେ ରେଲୱେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ତାକୁ ଚିକିତ୍ସା ପାଇଁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସଂପୃକ୍ତ ଟ୍ରାକ୍ରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।
ଖବର ପାଇ, ଆରପିଏଫ, ସିଆରପିଏଫ୍ ଯବାନ ଓ ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉକ୍ତ ଅଧିକାରୀ ରେଲୱେ ଟ୍ରାକକୁ ଯାଞ୍ଚ କରି ତଦନ୍ତ ଜାରି ରଖିଛନ୍ତି । ମାଓବାଦୀଙ୍କ ହିଂସାତ୍ମକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ରକ୍ସି,ଟୋପାଡିହି,ବିମଳାଗଡ ଓ କିରିବୁରୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଧୀରେ ଧୀରେ ମାଓଗଡ଼ ଭୁସୁଡୁଥିବାବେଳେ ମାଓବାଦୀଙ୍କ ହିଂସାତ୍ମକ କାର୍ଯ୍ୟ ବଢ଼ିବାରେ ଲାଗିଛି ।