ସାରା ରାଜ୍ୟରେ ଏବେ ମ୍ୟାଲେରିଆ ଉପରମୁହାଁ ହେବାରେ ଲାଗିଛି। ଗୋଟେ ପରେ ଗୋଟେ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ଅନୁଗୁଳ ଜିଲ୍ଲା ବଅଁରପାଳରେ ମଶା ଯୋଗୁଁ ଅତିଷ୍ଠ ହେଲେଣି ଲୋକେ । ବସଷ୍ଟାଣ୍ଡ ଓ ପାର୍ଶ୍ଵବର୍ତ୍ତି ଗାଁ ଗୁଡିକରେ ଡ୍ରେନେଜ ସୁବିଧା ନଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହୁଛି । ଲୋକ ମାନେ ବି ଅଳିଆ ଆବର୍ଜନା ମଧ୍ୟ ପକାଇ ଗଦା କରୁଛନ୍ତି। ଯାହା ଫଳରେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ମଶାମାଛି ବୃଦ୍ଧି ପାଇବା ଏହାର ମୁଖ୍ୟ କାରଣ । ଚଳିତ ବର୍ଷ ବଅଁରପାଳ ବ୍ଲକରେ ୧୨ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ଅନୁଗୁଳ ନୁହେଁ, ରାୟଗଡ଼ା ଓ ବାଲିଗୁଡ଼ାରେ ବି ସ୍ଥିତି ସଙ୍ଗୀନ।
ସ୍ଥିତି ଏପରି ବିଗିଡ଼ିଲାଣି ଯେ ମ୍ୟାଲେରିଆ ବୃଦ୍ଧିରେ ଝାଡ଼ଖଣ୍ଡ ଓ ଛତିଶଗଡ ପରି ରାଜ୍ୟକୁ ପଛରେ ପକାଇଦେଇଛି ଓଡ଼ିଶା । ଚଳିତ ବର୍ଷ ଏକ ଲକ୍ଷ ୬୭ ହଜାର ୨୩୩ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ପାଖରେ ରାୟଗଡ଼ାରେ ୩୧ ହଜାର ୭୪୫, ନବରଙ୍ଗପୁରରେ ୨୮ ହଜାର ୧୩୪, କନ୍ଧମାଳରେ ୨୨ ହଜାର ୧୦୫, ନୟାଗଡ଼ରେ ୧୨ ହଜାର ୪୬୦, କେନ୍ଦୁଝରରେ ୧୧ ହଜାର ୭୬୫ ମ୍ୟାଲେରିଆ ରୋଗୀଙ୍କ ରିପୋର୍ଟ ରହିଛି । ସୁବର୍ଣ୍ଣପୁର, ଅନୁଗୁଳ, ମାଲକାନଗିରିରେ ୬ ହଜାରରୁ ଅଧିକ ମ୍ୟାଲେରିଆ ରୋଗୀ ଅଛନ୍ତି । କୋରାପୁଟ ଓ ବଲାଙ୍ଗୀର ୫ ହଜାର ଛୁଇଁବାକୁ ଯାଉଛି ସଂଖ୍ୟା । ମ୍ୟାଲେରିଆରେ ୬ ଜଣଙ୍କ ମୃତ୍ୟୁ ବି ହୋଇଛି । ମାଲକାନଗିରିରେ ୩, କେନ୍ଦୁଝର, ଅନୁଗୁଳ ଓ ବୌଦ୍ଧରେ ଜଣେ ଲେଖାଏଁ ରୋଗୀ ମ୍ୟାଲେରିଆ ଯୋଗୁଁ ପ୍ରାଣ ହରାଇଛନ୍ତି । ଦେଶର ସମୁଦାୟ ରୋଗୀଙ୍କ ୩୮ ପ୍ରତିଶତ ମ୍ୟାଲେରିଆ ରୋଗୀ ଓଡ଼ିଶାରେ ଅଛନ୍ତି । ଛତିଶଗଡ଼, ଝାଡ଼ଖଣ୍ଡ ଭଳି ମ୍ୟାଲେରିଆ ପ୍ରବଣ ରାଜ୍ୟରେ ରୋଗୀଙ୍କ ସଂଖ୍ୟା ଓଡ଼ିଶା ତୁଳନାରେ ଯଥେଷ୍ଟ କମ୍ ରହିଛି । ଓଡ଼ିଶାର ଏହି ଚିନ୍ତାଜନକ ସ୍ଥିତି ଜୁଲାଇ ଶେଷ ଯାଏଁ ରେକର୍ଡ କରାଯାଇଛି । ଆଗାମୀ ୫ ମାସରେ ଏହା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।