ବ୍ରହ୍ମପୁର: ଗୋଟିଏ ସିଲିଣ୍ଡରରୁ ଦୁଇ ନବଜାତକଙ୍କୁ ଅକ୍ସିଜେନ୍ ଦିଆଯିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପରେ ଯାହାର ତ୍ରୁଟି ଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
ଗତକାଲି ଏମକେସିଜି ମେଡ଼ିକାଲରୁ ସ୍ୱାସ୍ଥ୍ୟ ସେବାର ଏକ ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଡ଼ା ଗାଁର ପଦ୍ମାଳୟା ବେହେରାଙ୍କ ୧୪ଦିନର ନବଜାତ ଶିଶୁ କନ୍ୟା ଓ ପାତ୍ରପୁର ବ୍ଲକ ପଦାଦିଗି ଗାଁର କୌଶଲ୍ୟା ସାହୁଙ୍କ ୮ଦିନର ନବଜାତ ଶିଶୁ ପୁତ୍ରକୁ ଶିଶୁ ବିଭାଗର ସ୍ପେସାଲ୍ ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍ରେ ରଖାଯାଇଥିଲା । ଉଭୟଙ୍କ ଇକୋ ପାଇଁ ଏସ୍ଏନ୍ସିୟୁରୁ ଇକୋ କରିବା ପାଇଁ ଅନ୍ୟ ଏକ ସ୍ଥାନକୁ ଅଣାଯାଇଥିଲା । ସେଠାରେ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ଦୁଇଟି ପାଇପ ଲଗାଯାଇ ଦୁଇ ଶିଶୁଙ୍କୁ ଅକ୍ସିଜେନ୍ ଦିଆଯାଉଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଥିଲା ।