କଟକ ନୂଆ ବଜାର ପୋଲ ଉପରେ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କଲା ପୁଲିସ । କେହି ଗୁଳିମାଡ଼ କରିନଥିଲେ ବରଂ ଯୁବକଙ୍କ ହାତରେ ନିଜେ ଫୁଟାଇଦେଇଥିଲେ ଗୁଳି । ଚୋରା ବନ୍ଧୁକ ଦେଖାଉଥିବା ବେଳେ ଗୁଳି ଫୁଟିଥିବା କହିଲେ ଡିସିପି। ଏନେଇ ପ୍ରେସମିଟ୍ କରି ଘଟଣା ବିଷୟରେ କହିଛନ୍ତି।
ପୁଲିସର କହିବା ମୁତାବକ ସାଙ୍ଗକୁ ବନ୍ଧୁକ ଦେଖାଇବା ବେଳେ ଏଭଳି ଘଟଣା ଘଟିଛି । ଡିସିପି କହିଛନ୍ତି, ଆମେ ମେଡିକାଲରୁ ଖବର ପାଇଥିଲୁ ଜଣଙ୍କ ଗୋଡ଼ରେ ଗୁଳି ପସିଛି ସେମାନେ ଚିକିତ୍ସା ପାଇଁ ଆସିଛନ୍ତି। ଆମେ ସେଠାରେ ପହଞ୍ଚିଥିଲୁ। ପଚରାଉଚରା ବେଳେ ତାଙ୍କ କଥାରେ ତାଳମେଳ ରହିନଥିଲା। ସନ୍ଦେହ ହେବାରୁ ଆମେ ତଦନ୍ତ ଜୋରଦାର କରିଥିଲୁ। ପରେ ସତ ସାମ୍ନାକୁ ଆସିଥିଲା।
ଅପର୍ଣ୍ଣା ନଗରର ଭଗବାନ ରାଉତ ତାଙ୍କ ପାଖରେ ଏକ ବନ୍ଧୁକ ରଖିଥିଲେ। ଖପୁରିଆ ଅଞ୍ଚଳର ସଞ୍ଜୟ ତରାଇ ତାଙ୍କ ସାଙ୍ଗ। ସନ୍ଧ୍ୟାରେ ଉଭୟ ଭେଟ ହୋଇଥିଲେ। ଭଗବାନ ରାଉତ ତାଙ୍କ ମାଛ ଦୋକାନରେ ତାଙ୍କୁ ବନ୍ଧୁକ ଦେଖାଉଥିଲେ। କେମିତି ଗୁଳି ପଶେ? କେମିତି ଫୁଟାଯାଏ? ଏହି ସମୟରେ ଗୁଳି ଫୁଟି ସଞ୍ଜୟଙ୍କୁ ଗୁଳି ବାଜିଥିଲା। ଏହାପରେ ଘଟଣାକୁ ଲୁଚାଇବା ପାଇଁ ମନଗଢ଼ା କାହାଣୀ ପୋଲିସକୁ କହିଥିଲେ ସଞ୍ଜୟ ଆଉ ଭଗବାନ।