ଭୁବନେଶ୍ୱର: ଲୋକସେବା ଭବନ କନଭେନସନ ହଲରେ 'ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀ' ଆୟୋଜିତ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏଥିରେ ପ୍ରଥମଥର ପାଇଁ ବନ ବିଭାଗର ସମସ୍ତ ବର୍ଗର ଅଧିକାରୀମାନେ ସାମିଲ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ସମ୍ମିଳନୀ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାଜ୍ୟରେ ଗତ ଏକ ବର୍ଷ ମଧ୍ୟରେ ଜଙ୍ଗଲ ୫୫୯ ବର୍ଗ କିଲୋମିଟର ବୃଦ୍ଧି ପାଇଛି । ଯାହାକି ଦେଶରେ ତୃତୀୟ । ସେହିପରି ବାତ୍ୟାରୁ ରକ୍ଷା କରୁଥିବା ସମୁଦ୍ର ବେଳାଭୂମିର ହେନ୍ତାଳ ବଣ ମଧ୍ୟ ୧.୫୫ ବର୍ଗ କିଲୋମିଟର୍ ବୃଦ୍ଧି ଘଟିଛି । ଜଙ୍ଗଲ ବୃଦ୍ଧି, ତାହାର ସୁରକ୍ଷା ଏବଂ ଜଙ୍ଗଲ ନିଆଁ ରୋକିବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଜଙ୍ଗଲ ବିଭାଗ ବୃକ୍ଷ ରୋପଣ କାର୍ୟ୍ୟକ୍ରମକୁ ପ୍ରାଧାନ୍ୟ ଦେଇଛି । ଗତ ଏକ ବର୍ଷ ମଧ୍ୟରେ ୩୦,୭୫୦ ହେକ୍ଟର ଅଞ୍ଚଳରେ ବନୀକରଣ କ୍ଷେତ୍ରରେ ପ୍ରାୟ ୨ କୋଟି ଚାରା ରୋପଣ କରାଯାଇଛି, ଯାହାକି ଜଙ୍ଗଲ ବିଭାଗର ବଡ଼ ସଫଳତାରେ ଗଣାଯାଉଛି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଜଙ୍ଗଲ ଓ ପରିବେଶକୁ ସୁରକ୍ଷା ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ ପେଡ୍ ମାକେ ନାମ୍ ଅଭିଯାନ ଆରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କୁ ମିଳିଥିବା ଟାର୍ଗେଟ୍ ୬ କୋଟି ୫୦ ଲକ୍ଷ ବୃକ୍ଷରୋପଣକୁ ପୁରା କରି ତାଠୁ ଅଧିକ ଅର୍ଥାତ୍ ୬ କୋଟି ୭୨ ଲକ୍ଷ ବୃକ୍ଷ ରୋପଣ କରାଯାଇଛି । ଓଡ଼ିଶା ଏହି ରେକର୍ଡରେ ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ଚଳିତ ଥର ସାଢ଼େ ୭ କୋଟି ବୃକ୍ଷ ରୋପଣ ଲକ୍ଷ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ସେପ୍ଟମ୍ବର ୧୭ରେ ହେବାକୁ ଥିବା ବୃକ୍ଷରୋପଣ ଅଭିଯାନରେ ସାମିଲ ହେବାକୁ ସମସ୍ତଙ୍କୁ ପୁଣି ଥରେ ଆହ୍ୱାନ କରିଛନ୍ତି । ସମସ୍ତ ସମାଜସେବୀଙ୍କ ଠାରୁ ଆରମ୍ଭ କରି ଏନଜିଓ ଯାଏ ସମସ୍ତେ ଏଥିରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।