ଆଜି ହିରୋସିମା ଦିବସ। ଆଜିର ଦିନ ଥିଲା ଜାପାନ ଇତିହାସର ଏକ କଳଙ୍କିତ ଅଧ୍ୟାୟ। ୧୯୪୫ ମସିହା ଅଗଷ୍ଟ ୬ ତାରିଖ ସକାଳ ୮ଟା ୧୫ ମିନିଟ୍। ସବୁଦିନ ପରି ଜାପାନବାସୀ ନିଜନିଜ କାମରେ ବ୍ୟସ୍ତ ଥିଲେ। ହଠାତ୍ ହିରୋସିମା ସହର ଉପରେ ଆମେରିକାର ବୋଇଂ ବି-୨୯ରୁ ନିକ୍ଷେପ ହେଲା ପରମାଣୁ ବୋମା ଲିଟିଲ ବଏ। ହଠାତ୍ ଏକ ଭୟଙ୍କର ଶବ୍ଦରେ ଥରି ଉଠିଥିଲା ଜାପାନ। ହିରୋସିମା ସହରର ୧୩ ବର୍ଗ କିଲୋମିଟର ଅଞ୍ଚଳ ଥରି ଉଠିବା ସହିତ ଆଖି ପିଛୁଳାକେ ଘରଦ୍ବାର ମାଟିରେ ମିଶିଯାଇଥିଲା। କେବଳ ସେତିକି ନୁହେଁ, ଏଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସହିତ ନିମିଷକ ମଧ୍ୟରେ ସବୁକିଛି ହୋଇ ଯାଇଥିଲା ପାଉଁଶ। ଏପରିକି ୩୫ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଅନେକ ବିକଳାଙ୍ଗ ହୋଇଯାଇଥିଲେ।
ସେତିକିରେ ପରମାଣୁ ବୋମାର ଧ୍ବଂସଲୀଳା ସମାପ୍ତ ହୋଇନଥିଲା। ସତେ ଯେମିତି ଆମେରିକା ରକ୍ତ ପିପାସୁ ପାଲଟି ଯାଇଥିଲା। ପୁଣି ଅଗଷ୍ଟ ୯ ତାରିଖ ଦିନ ଜାପାନର ନାଗାସାକି ସହର ଉପରେ ଦ୍ଵିତୀୟ ପରମାଣୁ ବୋମା ପଡିଲା, ଯାହାର ନାମ ଥିଲା ‘ଫ୍ୟାଟ ମ୍ୟାନ’। ଏଥିରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସହ ଅନେକ ପଙ୍ଗୁ ହୋଇଗଲେ । ପରମାଣୁ ଶକ୍ତିର ଭୟଙ୍କର ରୂପ ପୃଥୀବାସୀଙ୍କୁ ହତଚକିତ କରିଥିଲା। ଆମେରିକାର ଏଭଳି ଆକ୍ରମଣ ସଭ୍ୟ ସମାଜର ବର୍ବରତାର ସବୁ ସୀମା ପାର ହୋଇ ଯାଇଥିଲା।
କୁନି କୁନି ପିଲା ଓ ମହିଳାମାନଙ୍କର ଖଣ୍ଡ ବିଖଣ୍ଡିତ ଶରୀର ସମଗ୍ର ମନବଜାତିକୁ କଳଙ୍କିତ କରିଥିଲା। ଏହାର ଠିକ ୬ଦିନ ପରେ ଅର୍ଥାତ ଅଗଷ୍ଟ ୧୫ତାରିଖ ରେ ଆମେରିକା ପାଖରେ ଆତ୍ମସମର୍ପଣ କରିଥିଲା ଜାପାନ। ଏହାପରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସବୁ ଅଙ୍କ ବଦଳି ଯାଇଥିଲା ଶେଷ ହୋଇଥିଲା ଯୁଦ୍ଧ। ସେହି ପରମାଣୁ ବୋମାର ଭୟାବହତା ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହେଲା। ଏହାପରେ ସେହିଦିନ ପରେ ବିଶ୍ୱରେ କେବେବି ପରମାଣୁ ବୋମାର ବ୍ୟବହାର ହୋଇ ନାହିଁ। ଏପରିକି ସେହିଦିନ ଠାରୁ ସମଗ୍ର ବିଶ୍ୱ ହିରୋସିମା ଦିବସ ପାଳନ କରିଥିଲା। ହିରୋସିମା ବିସ୍ଫୋରଣକୁ ନେଇ ସଚେତନତା ସୃଷ୍ଟି କରିବା ନେଇ ଏହି ଦିନ ପାଳନ କରାଯାଏ।