କେନ୍ଦ୍ରାପଡ଼ାରେ ଛାତ୍ରୀ ଆତ୍ମଦାହ ଘଟଣାରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି। ସେ ସ୍ଥାନରୁ ସମସ୍ତ ବ୍ଲଡ ସାମ୍ପୁଲ ସଂଗ୍ରହ କରାଯାଉଛି। ଏହାରି ଭିତରେ ମୃତ ଛାତ୍ରୀଙ୍କ ଫୋନକୁ ସିଜ୍ କରିଛି ପୋଲିସ। ଯେଉଁ କାରଣ ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ ହେଲା, ସେଇ ମୋବାଇଲ ଭିତରେ ରହସ୍ୟ ଲୁଚିଥିବା ସନ୍ଦେହ କରୁଛି ପୋଲିସ। ଏବେ ମୋବାଇଲ ଯେହେତୁ ଜବତ କରାଗଲାଣି, ଏଥିରୁ ଅନେକ ଗୁଡ଼ିଏ ତଥ୍ୟ ପଦାକୁ ଆସିବ। ମୋବାଇଲର କଲ୍ ଡିଟେଲ୍ସର ଯାଞ୍ଚ ଚାଲିଛି।
ମୃତ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ମୁତାବିକ, କେହି ଜଣେ ତାଙ୍କୁ ବ୍ଲାକମେଲ କରୁଥିଲେ, ତେବେ ଏହି ମୋବାଇଲ ଫୋନ ହିଁ ସେସବୁ ରହସ୍ୟ ଉପରୁ ପରଦା ହଟାଇବ। କାରଣ ଏହି ଫୋନରୁ ଜଣାପଡ଼ିବ, ଛାତ୍ରୀ ଜଣକ ମୃତ୍ୟୁପୂର୍ବରୁ କାହାକୁ କରିଥିଲେ ଶେଷ କଲ ? କିଏ ବ୍ଲାକମେଲ କରୁଥିଲା, କେଉଁ ଆଧାରରେ ବ୍ଲାକମେଲ କରାଯାଇଛି, ଏଥିପାଇଁ କେଉଁ ସୋସିଆଲ ମିଡ଼ିଆର ଆପ୍ଲିକେସନକୁ ବ୍ୟବହାର କରାଯାଇଥିଲା? କିଏ ଫଟୋ ଭିଡ଼ିଓ ସବୁ ପଠାଉଥିଲା? କେଉଁ ଭିଡ଼ିଓ ଦେଖାଇ ଯୁବତୀଙ୍କୁ ମାନସିକ ଚାପ ଦିଆଯାଉଥିଲା? ଏସବୁର ଯାଞ୍ଚ କରୁଛି ପୋଲିସ।
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବଡପଡ଼ା ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ । ଏହା ହତ୍ୟା କି ଆତ୍ମହତ୍ୟା ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳି ନାହିଁ । କେହି ଜଣେ ତାଙ୍କୁ ବ୍ଲାକମେଲିଂ କରୁଥିଲେ ବୋଲି ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି, ‘ମୁଁ ନିଜେ ଏହାର ତନ୍ତ କରିବି। ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ହେବ ତଦନ୍ତ । ଘଟଣା ଘଟିବା ପରେ କବାଟ ଭାଙ୍ଗି ଭିତରକୁ ପଶିଥିଲେ ବାପା ମାଆ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ’।