ଭୁବନେଶ୍ୱର: ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ଲେଖିବାକୁ ତାଗିଦ ହୋଇଛି । ନିୟମକୁ କଡ଼ାକଡ଼ିଭାବେ ପାଳନ କରାଯାଇଛି କି ନାହିଁ ସେ ନେଇ ସେପ୍ଟେମ୍ବର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନିଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି କରାଯାଇଛି ।
ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଭାଷାଗତ ଐତିହ୍ୟକୁ ପ୍ରୋତ୍ସାହନ ଓ ସଂରକ୍ଷଣ କରିବା ପାଇ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଅନୁସରଣ କରି ତଥା ସାଧାରଣ ଜନତାଙ୍କ ସୁବିଧା ପାଇଁ, ଓଡ଼ିଆ ଭାଷା ଲିପିର ବ୍ୟବହାର ସୁନିଶ୍ଚିତ କରିବାକୁ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି ।
ଓଡ଼ିଶାର ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକର ଅଧୀନରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଫଳକ(ସାଇନ ବୋର୍ଡ)ରେ ଓଡ଼ିଆ ଭାଷାରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟୁନ ଫଳକ ୬୦% ଭାଗରେ ଓଡ଼ିଆରେ ରହିବା ବାଧ୍ୟତାମୂଳକ । ଯେଉଁମାନେ ଏହି ନିୟମକୁ ପାଳନ କରିବେ ସେମାନଙ୍କୁ ଟ୍ରେଡ୍ ଲାଇନସେନ୍ସ ନବୀକରଣ ସମୟରେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ । ଏହି ସୁବିଧା ସୁଯୋଗ ପୋର୍ଟାଲରେ ଉପଲବ୍ଧ ହେବ ।
ସେହିପରି ନିୟମର କାର୍ଯ୍ୟକାରିତାକୁ ତଦାରଖ କରି ସେପ୍ଟେମ୍ବର 30 ସୁଦ୍ଧା ରିପୋର୍ଟ ପ୍ରଦାନ କରିବେ । ଯେଉଁମାନେ ଅନୁଷ୍ଠାନ ଏହି ନିୟମ ପାଳନ କରିନଥିବେ ସେମାନଙ୍କୁ ଅତିରିକ୍ତ 55 ଦିନର ସମୟ ସୀମା ପ୍ରଦାନ କରାଯିବ । ନଚେତ୍ ସଂଶୋଧନ ପର୍ଯ୍ୟନ୍ତ 500 ଟଙ୍କା ଜରିମାନେ ଦେବାକୁ ପଡ଼ିବ । ଅଧିକାରୀମାନେ ୬୦ ଦିନ ଭିତରେ ରିପୋର୍ଟ ପ୍ରଦାନ କରିବେ ବୋଲି ଚିଠିରେ କଡ଼ା ନିର୍ଦ୍ଦେଶ ରହିଛି ।