ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଷୋଳମାଇଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ସମ୍ପର୍କୀୟ ବଡ ବାପା ଓ ପୁତୁରାଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଷୋଳମାଇଲି ଛକ ନିକଟରେ ଏକ ଟ୍ରେଲରକୁ ଓଭର ଟେକ୍ କରି ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଗୋଟିଏ ବାଇକ୍ ଟ୍ରେଲର ଚକା ତଳେ ପଶିଯାଇଥିଲା । ଫଳରେ ବାଇକରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ବଡ ବାପା ଖାଦାଳ ମହାରଣା, ପୁତୁରା ଶଶାଙ୍କ ମହାରଣା ବୋଲି ପରିଚୟ ମିଳିଛି । ଏହି ଦୁର୍ଘଟଣାରେ ଅନ୍ୟ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକକୁ ଜବତ କରିବା ସହିତ ଟ୍ରେଲର ଚାଳକକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।