କେନ୍ଦ୍ରାପଡ଼ା: ରାଜ୍ୟର ଜଣେ ଛାତ୍ରୀଙ୍କ ଆତ୍ମଦାହ ଏବଂ ଆଉ ଜଣଙ୍କୁ ଜାଳିଦେବା ଘଟଣା ରାଜ୍ୟବାସୀଙ୍କ ମନରୁ ଲିଭି ନ ଥିବାବେଳେ ପୁଣି ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଜଣେ ଛାତ୍ରୀ ଆତ୍ମଦାହ କରିଥିବା ଜଣାପଡ଼ିଛି । ସେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ଥିଲେ । କେହି ଜଣେ ତାଙ୍କୁ ହଇରାଣ କରୁଥିଲେ ବୋଲି ତାଙ୍କ ବାପା କହିଛନ୍ତି ।
ଛାତ୍ରୀଙ୍କ ବାପାଙ୍କ କହିବା ମୁତାବକ, ବୁଧବାର ସକାଳ ସାଢ଼େ ୭ଟା ସମୟରେ ବାପା ଏବଂ ମାଆ ପଟ୍ଟାମୁଣ୍ଡାଇ ମେଡ଼ିକାଲ ଯାଇଥିଲେ । ପୂର୍ବାହ୍ନ ପ୍ରାୟ ୧୧ ଟା ୩୦ ବେଳକୁ ଫେରିବା ପରେ ଘର କବାଟ ବାଡ଼େଇଥିଲେ । କିନ୍ତୁ ଝିଅ ଆଉ କବାଟ ଖୋଲି ନ ଥିଲା । ବାପା କବାଟ ବାଡ଼େଇ ବାଡ଼େଇ ଥକି ଯାଇଥିଲେ । ଏହା ପରେ ବାପା କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ । ସିଡ଼ି ଘର ନିକଟରେ ଝିଅର ଦଗ୍ଧ ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ ।
୬ ମାସ ପୂର୍ବରୁ ହୋଇଥିଲା ଅଭିଯୋଗ
ଛାତ୍ରୀଙ୍କ ବାପା ଗ୍ରାମାଞ୍ଚଳ ଥାନା ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଛାତ୍ରୀଙ୍କର ଜଣେ ପୁରୁଷ ବନ୍ଧୁ ତାଙ୍କୁ ଦୀର୍ଘ ମାସ ହେବ ବ୍ଲାକମେଲ୍ କରୁଥିଲେ । ଏ ନେଇ ସେ ଦୀର୍ଘ ୬ ମାସ ତଳେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଓଲଟା ପୁଅର ମୋବାଇଲ୍ ନମ୍ବର ବ୍ଲକ୍ କରିଦେବାକୁ ପରାମର୍ଶ ଦେଇଥିଲେ । ଫଳରେ ଝିଅ ମାନସିକ ଭାରସାମ୍ୟ ସହି ନ ପାରି ଏଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ବାପା ।
ସେପଟେ ପଡ଼ୋଶୀ ମଧ୍ୟ ଝିଅଟିକୁ ଦିନ ପ୍ରାୟ ୯ଟା ବେଳେ ଝିଅକୁ ଘର ବାହାରେ ଦେଖିଥିଲେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଏହା ପରେ ସେ କିଛି କରିଥିବ ବୋଲି କହିଛନ୍ତି । ତେବେ ଝିଅ ଆତ୍ମହତ୍ୟା କରିଛି ନାଁ ତାକୁ ହତ୍ୟା କରାଯାଇଛି ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ଘଟଣା ସ୍ଥଳରେ ପହଁଚିବା ପରେ ପ୍ରକୃତ ଘଟଣା ଉପରୁ ପରଦା ହଟିବ ।
୪ ଘଣ୍ଟା ପରେ ପହଁଚିଲା ପୋଲିସ
ସେପଟେ ପୋଲିସ ଡିଜି ୱାବି ଖୁରାନିଆ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆଙ୍କୁ ଘଟଣା ସ୍ଥଳରେ ପହଁଚିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଘଟଣାକୁ ଦୀର୍ଘ ସମୟ ବିତି ଯାଇଥିବାବେଳେ ସ୍ଥାନୀୟ ପୋଲିସର ଦେଖା ନ ଥିଲା । ସମସ୍ତ ଗଣମାଧ୍ୟମ ପହଁଚି ଭିଡ଼ିଓ ଏବଂ ଫଟୋ ଉତ୍ତୋଳନ କରିସାରିଥିବାବେଳେ ପୋଲିସ କିନ୍ତୁ ପହଁଚି ପାରି ନଥିଲା । ଅପରାହ୍ନ ସାଢ଼େ ୩ଟା ବେଳକୁ ପୋଲିସର ଦେଖା ଦର୍ଶନ ନ ଥିଲା । ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ହେବ ବୋଲି ପୋଲିସ କହିଥିବା ସମ୍ପର୍କୀୟ କହିଛନ୍ତି । ପ୍ରାୟ ୩ଟା ୪୫ ବେଳକୁ କନଷ୍ଟେବଳ ପହଁଚିଥିବାବେଳେ ଥାନା ଅଧିକାରୀଙ୍କ ଦର୍ଶନ ମିଳି ନ ଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଜୁଲାଇ ୧୨ ତାରିଖରେ ବାଲେଶ୍ୱର ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମଦାହ କରିଥିଲେ । ନ୍ୟାୟ ନ ମିଳିବାରୁ ସେ ଆତ୍ମଦାହ କରିଥିଲେ । ଜୁଲାଇ ୧୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ନିକଟେର ପୁରୀ ବଳଙ୍ଗାରେ ଜଣେ ନାବାଳିକାଙ୍କୁ ୩ ଜଣ ଦୁର୍ବୃତ୍ତ କିରୋସିନି ଢାଳି ଯାଇଥିଲେ । ନିକଟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି ।