ଭୁବନେଶ୍ୱର: ଏଣିକି ମହିଳାମାନେ କେଉଁଠାକୁ ଗଲେ ନବଜାତ ଶିଶୁକୁ ସ୍ତନପାନ କରାଇବାରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏଥିପାଇଁ ସରକାର ବିଭିନ୍ନ ସାର୍ବଜନୀକ ସ୍ଥାନରେ ସ୍ତନପାନ କରିବା ପାଇଁ ସୁବିଧା ଉପଲବ୍ଧ ହେବ । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, ଆଜି ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଦୁଇଟି ୱେବ୍ ସାଇଟ୍ ଉନ୍ମୋଚିତ ହୋଇଛି । ବ୍ରେଷ୍ଟ୍ ଫିଡ଼ିଂ ସେଣ୍ଟର ଓ ଲୋକ କଲ୍ୟାଣ ଆପ୍ ଉନ୍ମୋଚନ ହୋଇଛି । ମହିଳା କମିଶନ କାର୍ଯ୍ୟାଳୟ ପରିସରରେ ରାଜ୍ୟର ପ୍ରଥମ ସ୍ତନପାନ କେନ୍ଦ୍ର ଉଦଘାଟନ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି । ଆଗାମୀ ଦିନରେ ସମସ୍ତ ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ବ୍ରେଷ୍ଟ୍ ଫିଡ଼ିଂ ସେଣ୍ଟର ଖୋଲାଯିବ । ବ୍ରେଷ୍ଟ ଫିଡ଼ିଂ ସେଣ୍ଟରରେ ଜଣେ ମହିଳା ସହାୟିକା ଉପସ୍ଥିତ ରହିବେ । ଫଳରେ ଜଣେ ମହିଳା ନିଶ୍ଚିତରେ ଏବଂ ବିନା ସଂକୋଚରେ ନିଜ ପିଲାକୁ ସ୍ତନପାନ କରାଇପାରିବେ ।
ଏହାକୁ ସହୃଦୟତାର ସହିତ କରିବାକୁ ଉପମୁଖ୍ୟମନ୍ତ୍ରୀ ସମସ୍ତ ବ୍ୟବସାୟିକ ଅନୁଷ୍ଠାନଙ୍କ ସହଯୋଗ କାମନା କରିଛନ୍ତି । ଆଗାମୀ ଦିନରେ ବ୍ୟବସାୟିକ ଅନୁଷ୍ଠାନରେ ବ୍ରେଷ୍ଟ୍ ଫିଡ଼ିଂ ସେଣ୍ଟର ସହିତ ମହିଳାଙ୍କ ପାଇଁ ଶୌଚାଳୟରେ ସୁବିଧା କରିବାକୁ ଅନୁରୋଧ କରିଛନ୍ତି । ସରକାର ସବୁବେଳେ ନାଲି ଆଖି ଦେଖାନ୍ତି ନାହିଁ ବରଂ ସହଯୋଗ ଲୋଡ଼ନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।