ଭୁବନେଶ୍ୱର : ଆଜି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ ଯେତେବେଳେ ବଙ୍ଗଳା ବିଭାଜନ ହୋଇଥିଲା ସେତେବେଳେ ସ୍ବଦେଶୀ ଆନ୍ଦୋଳନ ଶକ୍ତି ବୃଦ୍ଧି ହୋଇଥିଲା। ସର୍ବପ୍ରଥମେ ୧୯୦୫ ଅଗଷ୍ଟ ୭ରେ କୋଲକାତା ଟାଉନ ହଲରେ ବିଦେଶୀ ସାମଗ୍ରୀକୁ ବର୍ଜନ କରିବା ଏବଂ ଭାରତୀୟ ଉତ୍ପାଦ ଉପରେ ନିର୍ଭର କରିବା ପାଇଁ ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ଏକ ଶତାବ୍ଦୀ ପରେ ଅର୍ଥାତ୍ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଜାତୀୟ ହସ୍ତତନ୍ତ ଦିବସର ଶୁଭ ଉଦ୍ଘାଟନ କରିଥିଲେ। ହସ୍ତତନ୍ତ ଏବଂ ବୁଣାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।
ତେବେ ଜନତା ମଇଦାନରେ ଆଜି ପାଳନ ହେବ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଓ ଏକତା” ଉତ୍ସବ । ଯାହାକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ ହିନ୍ଦୀ ଚଳଚିତ୍ର ତାରକା ମାଧୁରୀ ଦୀକ୍ଷିତ ନେନେ। ସେହିଭଳି ଆସନ୍ତା ଅଗଷ୍ଟ ୮ ଓ ୯ ତାରିଖରେ ଏକତା ଉତ୍ସବକୁ ପାଳନ କରାଯିବ । ଜନତା ମଇଦାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଫ୍ୟାଶନ୍ ଶୋ ମଧ୍ୟ ଆୟୋଜିତ ହେବ।
ସେହିଭଳି ୭ ରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଜାରି ରହିବ ଯେଉଁଥିରେ ୬୦ଟି ଷ୍ଟଲ ରହିବ ଯେଉଁଥିରେ ଅଂଶଗ୍ରହଣ କରିବେ ପ୍ରାୟ ୧୫୦୦ ରୁ ଅଧିକ ବୁଣାକାର। ଉତ୍ସବରେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ନିବେଦନ କଲେ ମନ୍ତ୍ରୀ ପ୍ରଦିପ ବଳସାମନ୍ତ। କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବା ପାଇଁ ବିଭିନ୍ନ କର୍ମଶାଳାର ଆୟୋଜନ ହେବ। କ୍ରେତା-ବିକ୍ରେତା-ନିର୍ମାତା ସମ୍ମିଳନୀ ସହ ଡିଜାଇନର ଓ କାରିଗରଙ୍କ ସହ ବିଶେଷ ଅଧିବେଶନ ମଧ୍ୟ ଆୟୋଜନ କରାଯିବ। ଯୋଗ୍ୟ ବୁଣାକାରମାନଙ୍କୁ ଏହି ଅବସରରେ ପୁରସ୍କୃତ ମଧ୍ୟ କରାଯିବ।