ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ଶେଷ ଆଡ଼କୁ ଜାପାନ ଏବଂ ଚୀନ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ଜାପାନରେ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିବାବେଳେ ଚୀନରେ ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେବେ । ଗଲବାନ ଘାଟି ସଂଘର୍ଷ ପରେ ଏହା ମୋଦୀଙ୍କ ପ୍ରଥମ ଚୀନ ଗସ୍ତ ହେବ ।
ଅଗଷ୍ଟ 30, ଶନିବାର ପ୍ରଧାନମନ୍ତ୍ରୀ ଜାପାନ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ । ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ରଣନୈତିକ, ଅର୍ଥନୈତିକ ଏବଂ ବୈଷୟିକ ସହଯୋଗକୁ ଆହୁରି ବୃଦ୍ଧି କରିବା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।
୩୧ ଅଗଷ୍ଟରୁ ଚୀନ ଗସ୍ତରେ ଯିବେ । ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ମଧ୍ୟରେ ଚୀନର ତିଆନଜିନ୍ ସହରରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ସମ୍ମିଳନୀରେ ଯୋଗଦେବେ । ୨୦୧୯ ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଚୀନ ଗସ୍ତ ହେବ । ଏସସିଓ ବୈଠକରେ ଆଞ୍ଚଳିକ ସୁରକ୍ଷା, ଆତଙ୍କବାଦ, ବାଣିଜ୍ୟ ସହଯୋଗ ଏବଂ ବହୁପାକ୍ଷିକ ସହଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।
ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷରୁ ତେଲ କିଣିବା ପାଇଁ ବ୍ରିକ୍ସ ଦେଶଗୁଡ଼ିକୁ ଟାର୍ଗେଟ କରିଛନ୍ତି ଏବଂ ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ ବ୍ରିକ୍ସ ଦେଶଗୁଡ଼ିକ ଡଲାରର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରୁଛନ୍ତି । ଏପରି ପରିସ୍ଥିତିରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତକୁ ରଣନୈତିକ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଜୁନ୍ ମାସର ପ୍ରାରମ୍ଭରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍ର ଫିଙ୍ଗଡାଓ ସହରରେ ସାଂଘାଇ ସହଯୋଗ ସଂଗଠନ (SCO) ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ଏକ ଦଲିଲ୍ ସ୍ୱାକ୍ଷର କରିବାକୁ ମନା କରିଦେଇଥିଲେ । ଯାହାକି ଆତଙ୍କବାଦ ବିରୋଧରେ ଭାରତର କଠୋର ନୀତିକୁ ଦୁର୍ବଳ କରିପାରେ । ଆତଙ୍କବାଦ ପ୍ରସଙ୍ଗରେ ମତଭେଦ ଯୋଗୁଁ, ସାଂଘାଇ ସହଯୋଗ ସଂଗଠନ (SCO) ଏକ ମିଳିତ ବିବୃତ୍ତି ଜାରି ନକରିବାକୁ ନିଷ୍ପତ୍ତି ନେଇଥିଲା ।