ଗୋଟେ ପଟେ ଟାରିଫ୍ କୁ ନେଇ ଆମେରିକାର ଦାଦାଗିରି, ଟ୍ରମ୍ପଙ୍କ ବଡ଼ ବଡ଼ ଧମକ ଆଉ ଏହାରି ଭିତରେ ଋଷରେ ଭାରତର ଜେମସ ବଣ୍ଡ ଅଜିତ ଡୋଭାଲ୍। ବିଶ୍ବରେ ରାଜନୈତିକ ସ୍ଥିତି ସମ୍ବେଦନଶୀଳ ମୋଡରେ ଥିବା ବେଳେ ଋଷରେ ପହଞ୍ଚିଛନ୍ତି ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଆମେରିକା ରାଷ୍ଟ୍ରପତି ଏକାସାଙ୍ଗରେ ଋଷ ଓ ଭାରତକୁ ଧମକ ଦେଉଛନ୍ତି। ଏଭଳି ସ୍ଥିତିରେ ଅଜିତ ଡୋଭାଲଙ୍କ ପାଇଁ ଭାରତର ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ଆମେରିକା ଓ ଋଷ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ବଡ଼ ଚ୍ୟାଲେଞ୍ଜ ହେବ।
ଟ୍ରମ୍ପଙ୍କ ଧମକ… ଡୋଭାଲଙ୍କ ଗସ୍ତ
ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ପୂର୍ବରୁ ବ୍ୟବସାୟ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିବାବେଳେ ଏବେ ଏହାକୁ ଆହୁରି ବଢ଼ାଇବାକୁ ଧମକ ଦେଉଛନ୍ତି । ତାଙ୍କ ରାଗ ହେଉଛି ଋଷ ସହ ଭାରତର ସମ୍ପର୍କ । ଆମେରିକା ଓ ଭାରତ ମଧ୍ୟରେ ଏବେ ସମ୍ପର୍କରେ ତିକ୍ତତା ଦେଖାଯାଉଥିବାବେଳେ ଏବେ ଡୋଭାଲଙ୍କ ମସ୍କୋ ଗସ୍ତ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।
ଅନ୍ୟପଟେ ଋଷର ପ୍ରାଶାସନିକ ଅଧିକାରୀଙ୍କ ସମେତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କକୁ ସଦୃଢ଼ କରିବା ଆଲୋଚନା ହେବ ବୋଲି କୁହାଯାଉଛି । ଏଥିରେ ବଣିଜ୍ୟିକ ସମ୍ପର୍କ ସହ S-400 ଡିଫେକ୍ସ ସିଷ୍ଟମ୍ କିଣିବା ଉପରେ ମଧ୍ୟ ଆଲୋଚନା ହେବା ନେଇ ସୂଚନା ରହିଛି । ଭାରତରୁ ଏହି ଦୁଇଟି ହାଇପ୍ରୋଫାଇଲ୍ ଙ୍କ ଗସ୍ତ ଏପରି ସମୟରେ ହେଉଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଭାରତକୁ ଲଗାତାର ଶୁଳ୍କ ନେଇ ଧମକ ଦେଉଛନ୍ତି। ଟ୍ରମ୍ପଙ୍କ ଏହି ଧମକ ସେ ପୂର୍ବରୁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିସାରିଥିବା ପରେ ଆସୁଛି। ଏହା ପରେ, ମଙ୍ଗଳବାର ଦିନ, ସେ କହିଥିଲେ ଯେ ଭାରତ ଏକ ଭଲ ବାଣିଜ୍ୟିକ ଅଂଶୀଦାର ନୁହେଁ ଏବଂ ସେ ଭାରତ ଉପରେ ଶୁଳ୍କ ଆହୁରି ବୃଦ୍ଧି କରିବେ।
ଟ୍ରମ୍ପଙ୍କ ଅଭିଯୋଗ , ଭାରତ କାଳେ ଋଷଠାରୁ ତୈଳ କିଣି ପରୋକ୍ଷ ଭାବେ ୟୁକ୍ରେନ ସହ ଯୁଦ୍ଧ କରିବାକୁ ପାଣ୍ଠି ଯୋଗାଉଛି । କିନ୍ତୁ ଟ୍ରମ୍ପଙ୍କ ଏଭଳି ଅଭିଯେଗାକୁ ଖଣ୍ଡନ କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ । ସେ କହିଛନ୍ତି, ’ ଭାରତ ସବୁବେଳେ ସବୁ ଦେଶଙ୍କ ସହ ସୁସମ୍ପର୍କ ରଖିବାକୁ ଚେଷ୍ଟା କରିଆସିଛି । ପ୍ରମୁଖ ଅର୍ଥ ବ୍ୟବସ୍ଥା ଭଳି ଭାରତ ମଧ୍ୟ ନିଜର ଆର୍ଥିକ ସମ୍ପର୍କ ଭଲ ରଖିବାକୁ ପୟାସ କରୁଛି । ତେଣୁ ଟ୍ରମ୍ପ ଅଯଥା ଋଷ ସହ ସମ୍ପର୍କକୁ ନେଇ ଭୁଲ ମନ୍ତବ୍ୟ ଦେଉଛନ୍ତି ’ ।
ଏସ୍-400 ନେଇ ହୋଇପାରେ ଚର୍ଚ୍ଚା
ରୁଷିଆର ସରକାରୀ ସମାଚାର ଏଜେନ୍ସି TASS ରିପୋର୍ଟ କରିଛି ଯେ, ଋଷ ଗସ୍ତ ସମୟରେ ଅଜିତ ଡୋଭାଲ ନିଜ ଋଷ ପ୍ରତିପକ୍ଷଙ୍କ ସହ ପ୍ରତିରକ୍ଷା ଡିଲ ନେଇ ଆଲୋଚନା କରିପାରନ୍ତି। ଭାରତ ଅଧିକ ଏସ୍-400 ମିସାଇଲ୍ ପ୍ରତିରକ୍ଷା ପ୍ରଣାଳୀ କିଣିବା, ଏହାର ରକ୍ଷଣାବେକ୍ଷଣକୁ ନେଇ ମଧ୍ୟ ଆଲୋଚନା ହୋଇପାରେ। ଋଷ ଭାରତର ବଡ଼ ପ୍ରତିରକ୍ଷା ସହଯୋଗୀ। ୨୦୧୮ରେ ଭାରତ ଋଷଠାରୁ ୫ଟି ଏସ୍-୪୦୦ ମିସାଇଲ୍ ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ଡିଲ୍ କରିଥିଲା। ଏହାର ଦାମ୍ ପ୍ରାୟ ୪୦ହଜାର କୋଟି ଟଙ୍କା ଥିଲା। ଏହା ମଧ୍ୟରୁ ଭାରତକୁ ୩ଟି ମିଳି ସାରିଥିବା ବେଳେ ବାକି ଦୁଇଟି ଏସ୍-୪୦୦ ସ୍କ୍ବାଡ୍ରନର ଡେଲିଭେରୀ ଋଷ-ୟୁକ୍ରେନ୍ ଯୁଦ୍ଧ ପାଇଁ ବିଳମ୍ବିତ ହେଉଛି। ତେବେ ଆସନ୍ତା ବର୍ଷ ମଧ୍ୟରେ ଏହା ମିଳିବା ନେଇ ସଂକେତ ମିଳୁଛି। ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନୀ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣକୁ ପ୍ରତିହତ କରିବାରେ ଏସ୍-୪୦୦ ସଫଳ ହୋଇଥିଲା।