ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ନବନିର୍ମିତ ‘କର୍ତ୍ତବ୍ୟ ଭବନ’ର ଶୁଭ ଉଦଘାଟନ କରିଛନ୍ତି । ଲୋକାର୍ପଣ ଅବସରରେ ମୋଦୀ ସମ୍ବୋଦନ କରି କହିଛନ୍ତି ଯେ କର୍ତ୍ତବ୍ୟ ଭବନ ବିକଶିତ ଭାରତର ନୀତି ଏବଂ ଦିଗର ମାର୍ଗଦର୍ଶନ କରିବ । ଏହା ପୂର୍ବରୁ ଅଲଗା ଅଲଗା ମନ୍ତ୍ରଣାଳୟର ଭଡ଼ାରେ ୧୫୦୦ କୋଟି ଖର୍ଚ୍ଚ ହେଉଥିଲା । ଅମୃତ କାଳରେ ଏହି ଭବନରେ ବିକଶିତ ଭାରତର ନୀତି ତିଆରି ହେବ, ନିଷ୍ପତ୍ତି ହେବ ଓ ଆଗାମୀ ଦିନରେ ଦେଶର ଗତିପଥ ସ୍ଥିର ହେବ ।
ପ୍ରଧାନମନ୍ତ୍ରୀ କର୍ତ୍ତବ୍ୟ ଭବନରେ କାର୍ଯ୍ୟରତ ଥିବା ସମସ୍ତ ଶ୍ରମିକ ଏବଂ ଇଞ୍ଜିନିୟରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୋଦୀ କହିଛନ୍ତି, ବହୁତ ମନ୍ଥନ କରିବା ପରେ କର୍ତ୍ତବ୍ୟ ଭବନ ନାମକରଣ ହୋଇଛି । କର୍ତ୍ତବ୍ୟ ପଥ ଏବଂ କର୍ତ୍ତବ୍ୟ ଭବନ ଆମ ଗଣତନ୍ତ୍ର ଏବଂ ସମ୍ବିଧାନ ମୌଳିକ ଭାବନାକୁ ପ୍ରତିଫଳିତ କରୁଛି । ସେ ଆହୁରି କହିଛନ୍ତି, ସ୍ୱାଧୀନ ହେବା ପରେ ମଧ୍ୟ ଦେଶର ପ୍ରଶାସନିକ କଳ ବର୍ଷ ବର୍ଷ ଧରି ବ୍ରିଟିଶ ସମୟରେ ତିଆରି ହୋଇଥିବା କୋଠାରେ ଚାଲୁଥିଲା । ଆଉ ଏହିଗୁଡ଼ିକରେ କାମ କରିବା ସ୍ଥିତି ବହୁତ ଖରାପ ହୋଇଥିଲା । ଯେଉଁଠାରେ କାମ କରିବା ପାଇଁ ସ୍ଥାନ, ଆଲୋକ ଏବଂ ବାୟୁ ଚଳପ୍ରଚଳ ମଧ୍ୟ କମ ଥିଲା ।
ପ୍ରଧାନମନ୍ତ୍ରୀ କହିଥିଲେ, "'କର୍ତ୍ତବ୍ୟ' କେବଳ ଏକ କୋଠାର ନାମ ନୁହେଁ, ଏହା କୋଟି କୋଟି ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବାର ପବିତ୍ର ଭୂମି । କର୍ତ୍ତବ୍ୟ ହେଉଛି ଆରମ୍ଭ, କର୍ତ୍ତବ୍ୟ ହେଉଛି ଭାଗ୍ୟ । କରୁଣା ଏବଂ କର୍ମର ସ୍ନେହ ବନ୍ଧନରେ ବାନ୍ଧି ହୋଇଥିବା କର୍ମ... ଏହା ହେଉଛି କର୍ତ୍ତବ୍ୟ।"