ଯାଜପୁର/କଟକ: ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ଚେତୁ ନାହାଁନ୍ତି ଅମାନିଆ ପୋଲିସ ବାବୁ । ଥାନା ହାଜତ ଭିତରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି । ପୋଲିସ ନିର୍ଯ୍ୟାତନା ସହି ନ ପାରି ସମ୍ପୃକ୍ତ ଯୁବକ ଜଣକ ବିଷ ପିଇ ଦେଇଥିବା ପରିବାର ଲୋକେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପୋଲିସ ବିରୁଦ୍ଧରେ ଏହି ଅଭିଯୋଗ ଆସିଛି । ଯୁବକ ଜଣକ ହେଲେ ଅଣକା ଗ୍ରାମ ମଣିପୁରସାହିର ରବିନ୍ଦ୍ର ମଲ୍ଲିକ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଏକ ପାରିବାରିକ କଳହକୁ କେନ୍ଦ୍ର କରି ଗତ ୩ ତାରିଖରେ ପୂର୍ଣ୍ଣିମା ମଲ୍ଲିକ ନାମକ ଜଣେ ମହିଳା ରବିନ୍ଦ୍ରଙ୍କ ନାମରେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ୨୦୬ରେ ମାମଲା ରୁଜୁ କରି ରବିନ୍ଦ୍ରଙ୍କୁ ଘରୁ ଉଠାଇ ଆଣିଥିଲା । ତିନି ଦିନ ପରେ ରବିନ୍ଦ୍ରଙ୍କ ପରିବାର ଲୋକେ ତାଙ୍କୁ ଭେଟିବା ପାଇଁ କହିବାରୁ ପୋଲିସ ତାଙ୍କୁ କଟକ ଏସସିବିକୁ ନେଇଥିଲେ ।
ରବିନ୍ଦ୍ର ବିଷ ପିଇ ଦେଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ପ୍ରଥମେ ତାଙ୍କୁ ଯାଜପୁର ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏସିସିବିକୁ ସ୍ଥାନାନ୍ତର କରାଯାଇଛି । ମେଡିସିନ୍ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି । ସେ ବିଷ ପିଇଛନ୍ତି କି ନାହିଁ ସେ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ତାଙ୍କୁ ଥାନାରେ ନିସ୍ତୁକ ମାଡ଼ ମରାଯାଇଛି । ପୋଲିସ ତାଙ୍କୁ ଉଲ୍ଲଗ୍ନ ହେବାକୁ ବାଧ୍ୟ କରିଥିଲା ବୋଲି ଅଭିଯୋଗ ହୋଇଛି । ସେଥିପାଇଁ ସେ ନିର୍ଯ୍ୟାତନା ସହି ନ ପାରି ଏମିତି ଚରମ ନିଷ୍ପତ୍ତି ନେଇଛନ୍ତି ।
ଅନ୍ୟପକ୍ଷରେ ରବିନ୍ଦ୍ର ଥାନା ହାଜତରେ ଥିବାବେଳେ ସେ କେମିତି ବିଷ ପିଇଥିଲେ ? ରବିନ୍ଦ୍ରଙ୍କୁ ବିଷ କେଉଁଠୁ ମିଳିଲା ? ଏହା ଏବେ ବଡ଼ ପ୍ରଶ୍ନ । ଅନ୍ୟପଟେ ପୋଲିସ ରବିନ୍ଦ୍ରଙ୍କୁ କୋର୍ଟ ଚାଲାଣ ନ କରି କଣ ପାଇଁ ଏତେ ଦିନ ପର୍ଯ୍ୟନ୍ତ ତାଙ୍କୁ ନିଜ ହେପାଜତରେ ରଖିଥିଲା ବୋଲି ପ୍ରଶ୍ନ ଉଠିଛି ।