ଜଗତସିଂହପୁର: ଗୋଟିଏ ପଟେ ବାଲିଚନ୍ଦ୍ରପୁର ଥାନାରେ ଥାର୍ଡ ଡିଗ୍ରୀ ସହି ନପାରି ଜଣେ ଯୁବକ ବିଷ ପିଇ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଥିବାବେଳେ ସେପଟେ ଜଗତସିଂହପୁର ଆଉ ଏକ ମାମଲା ସାମ୍ନାକୁ ଆସିଛି । ବିରିଡ଼ି ଥାନାରେ ଜଣଙ୍କୁ ଅମାନବୀୟ ଭାବେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀ ଜଣକ ହେଲେ ବାଲିଆର ପାର୍ଥ ସାରଥୀ ଦାସ । ସେ ଏ ନେଇ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତ ଜୁଲାଇ ୨୫ ତାରିଖରେ ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟରେ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବାର ଥିଲା । କିନ୍ତୁ ବିଧାୟକ ବୈଠକ ନ କରି ଚାଲିଯିବାରୁ ବିଜେଡ଼ିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗଳ ହୋଇଥିଲା । ସେଠାରେ ଉପସ୍ଥିତ ପୋଲିସ ପାର୍ଥ ସାରଥୀ ଦାସଙ୍କୁ ଗିରଫ କରି ବିରିଡ଼ି ଥାନାକୁ ଆଣିଥିଲା । ସେଠାରେ ତାଙ୍କୁ ଥାନା ଅଧିକାରୀ ନିସ୍ତୁକ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ଏ ନେଇ ସେ ଜଗତସିଂହପୁର ଏସପି ଏବଂ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିଛନ୍ତି ।
ପ୍ରକାଶ ଥାଉକି, ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ରବିନ୍ଦ୍ର ମଲ୍ଲିକ ନାମକ ଜଣେ ବ୍ୟକ୍ତି ବିଷ ପିଇଦେଇଥିବା ଜଣାପଡ଼ିଛି । ସେ ବର୍ତ୍ତମାନ କଟକ ଏସସିବି ମେଡ଼ିକାଲର ମେଡ଼ିସିନ୍ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି । ଥାନା ତାଙ୍କୁ କପଡ଼ା ଖୋଲିବାକୁ କୁହାଯାଇଥିଲା, ସେ ନ ଖୋଲିବାରୁ ପୋଲିସ ନିସ୍ତକୁ ମାଡ଼ ମାରିଥିଲେ । ଏହା ପରେ ସେ ବିଷ ପିଇଦେଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।