ପୁରୀ: ଏଣିକି ଶ୍ରୀମନ୍ଦିର ସୁରକ୍ଷା ଆଇନକୁ ଉଲ୍ଲଂଘନ କଲେ ସିଧାସଳଖ ଯିବାକୁ ପଡ଼ିପାରେ ଜେଲ୍ । ପୁରୀ ଶ୍ରୀମନ୍ଦିର ଭିତରୁ ବାରମ୍ବାର ମୋବାଇଲ୍ ଜବତ, ହିଡେନ୍ କ୍ୟାମେରା ମିଳିବା ଏବଂ ଡ୍ରୋନ୍ ଉଡ଼ିବା ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିର ଆଇନ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଶ୍ରୀମନ୍ଦିର ଆଇନ ସଂଶୋଧନ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।
ଆଜି ଶ୍ରୀମନ୍ଦିରରେ ଆଇନ ବ୍ୟବସ୍ଥା ନେଇ ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ନେଇ ବୈଠକ ଶେଷ ହେଲା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଚରୋଟି ବିନ୍ଦୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ପ୍ରଚଳିତ ନିୟମ ଅନୁଯାୟୀ କଠୋର ଦଣ୍ଡବିଧାନ ନାହିଁ । ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।
ପ୍ରଥମ ପ୍ରସ୍ତାବ ହେଲା କୌଣସି ବ୍ୟକ୍ତି ଅନଧିକୃତଭାବେ ମୋବାଇଲ, କିମ୍ବା ବୈଦ୍ୟୁତିକ ଉପକରଣ ବ୍ୟବହାର କରୁଛନ୍ତି କିମ୍ବା ଫଟୋ ଉତ୍ତୋଳନ କଲେ ଦଣ୍ଡ ବିଧାନ ହେବ । କୌଣସି ବ୍ୟକ୍ତି ମୋବାଇଲ ଫୋନ୍ ଜାଣତରେ ବ୍ୟବହାର କରୁଛନ୍ତି ତେବେ ଦଣ୍ଡବିଧାନର ପ୍ରସ୍ତାବ ରହିବ। ବର୍ତ୍ତମାନ ଏହା ୧୦୦୦ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି ।
ଦ୍ୱିତୀୟରେ ମହାପ୍ରଭୁଙ୍କ ସଂସ୍କୃତି, ଗାରିମା କ୍ଷୁର୍ଣ୍ଣ କକିବା ଭଳି କାର୍ଯ୍ୟ କରିବେ ନାହିଁ । ଶ୍ରୀମନ୍ଦିର ନୀତିକାନ୍ତି କିମ୍ବା ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ଯଦି ଭୁଲ ତଥ୍ୟ ଦେବେ କିମ୍ବା ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ଚେଷ୍ଟା କରିବେ, ସେଥିପାଇଁ ଜାମିନ ବିହୀନ ଗିରଫ ପରୱାନା ସହିତ ୭ ବର୍ଷର ଜେଲ୍ ଦଣ୍ଡାଦେଶ ପାଇଁ ପ୍ରସ୍ତାବ ଦିଆଯାଇଛି ।
ତୃତୀୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଲେ କିମ୍ବା ଅନଧିକୃତ ଅଞ୍ଚଳରେ ବୈଦ୍ୟୁତିକ ଉପକରଣ ନେଲେ (ଇଲେକ୍ଟ୍ରୋନିକ ଡିଭାଇସ) ନେଲେ ଜାମିନ ବିହୀନ ଗିରଫ ପରୱାନା ଜାରି ହେବ ।
ପରିଶେଷରେ ଶ୍ରୀଜଗନ୍ନାଥ ଆଇନରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛି ମନ୍ଦିର ପ୍ରଶାସନ । ଯଦି ସରକାର ପ୍ରସ୍ତାବକୁ ଅନୁମୋଦନ କରିବାକୁ ଅପେକ୍ଷା କରାଯାଇଛି । ଏହା ପରେ କୌଣସି ବ୍ୟକ୍ତି ଆଇନକୁ ଉଲ୍ଲଂଘନ କରନ୍ତି, ଖିଲାପକାରୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବିଧାନ ପ୍ରସ୍ତାବ ଦିଆଯାଇଛି । ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହାକୁ ଅନ୍ୟାନ୍ୟ ସ୍ତରରେ ଆଲୋଚନା ମଧ୍ୟ କରାଯିବା ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।