ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି। ମଙ୍ଗଳବାର ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଆଗାମୀ ୨୪ ଘଣ୍ଟାରେ ଭାରତ ଉପରେ ଲାଗିଥିବା ଟାରିଫରେ ଆହୁରି ବୃଦ୍ଧି କରିପାରୁ। ଖାସ୍ କଥା ଏହା ପୂର୍ବରୁ ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଘୋଷଣା କରି ସାରିଛି। ରୁଷଠୁ ତେଲ କିଣିବା ନେଇ ଭାରତ ଉପରେ ଜରିମାନା ବି ଲଗାଇଛନ୍ତି।
ସିଏନବିସି ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି, ଭାରତ ଏବେ ଆଉ ଭଲ ବାଣିଜ୍ୟିକ ସାଥୀ ହୋଇ ରହିନାହିଁ। କାରଣ ସେମାନେ ଆମ ସହିତ ବହୁତ ବାଣିଜ୍ୟ କରୁଛନ୍ତି। ମାତ୍ର ଆମେ ତାଙ୍କ ସହ ବ୍ୟବସାୟ କରୁନୁ। ଏମିତି ସ୍ଥିତିରେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ସ୍ଥିର କରିଛୁ, ମାତ୍ର ଆଗାମୀ ୨୪ ଘଣ୍ଟାରେ ଏହି ଶୁଳ୍କକୁ ଆହୁରି ବୃଦ୍ଧି କରିବାକୁ ଯାଉଛୁ।
ଭାରତ ରୁଷଠୁ ତେଲ କିଣୁଛି ଏବଂ ଓ୍ଵାର ମେଶିନକୁ ପ୍ରୋତ୍ସାହିତ କରୁଛି। ଯଦି ଏମିତି ଜାରି ରହେ ତେବେ ଆମେ କଦାପି ଖୁସି ପ୍ରକାଶ କରିବୁ ନାହିଁ। ଗୋଟିଏ ଦିନ ପୂର୍ବେ ଟ୍ରମ୍ପ କହିଥିଲେ ଯେ, ଭାରତ କେବଳ ରୁଷଠୁ ତେଲ କିଣୁ ନାହିଁ ବରଂ ମୋଟା ଅଙ୍କର ମୁନାଫା ପାଇଁ ଖୋଲା ବଜାରରେ ଏହାକୁ ବିକ୍ରି କରୁଛି। ସେଥିରେ ଆମକୁ କୌଣସି ଫରକ ପଡ଼େ ନାହିଁ ଯେ, ରୁଷ ସହ ଯୁଦ୍ଧରେ ୟୁକ୍ରେନରେ କେତେ ଲୋକ ମରିଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗତକାଲି କହିଥିଲା ଯେ ଆମେରିକା ନିଜେ ରୁଷ ସହିତ ବ୍ୟବସାୟ କରୁଛି। କିନ୍ତୁ ଏହା ଭାରତ-ରୁଷ ବାଣିଜ୍ୟ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଗତ ବର୍ଷ କଠୋର ପ୍ରତିବନ୍ଧକ ଏବଂ ଶୁଳ୍କ ସତ୍ତ୍ୱେ, ଆମେରିକା ରୁଷ ସହିତ ପ୍ରାୟ ୩.୫ ବିଲିୟନ ମୂଲ୍ୟର ବାଣିଜ୍ୟ କରିଥିଲା। ଆମେରିକା ଏବେ ବି ତାର ପରମାଣୁ ଶିଳ୍ପ ପାଇଁ ୟୁରାନିୟମ ହେକ୍ସାଫ୍ଲୋରାଇଡ୍, ବୈଦ୍ୟୁତିକ ଯାନବାହନ ଶିଳ୍ପ ପାଇଁ ପାଲାଡିୟମ୍, ସାର ଏବଂ ରାସାୟନିକ ଦ୍ରବ୍ୟ ରୁଷରୁ ଆମଦାନି କରୁଛି।