ନୂଆଦିଲ୍ଲୀ: ରୁଷ ଓ ଭାରତ ମଧ୍ୟରେ ନିବିଡ ସଂପର୍କରେ ଚିହିଙ୍କି ଉଠିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ମଧ୍ୟରେ ରୁଷର ମସ୍କୋରେ ପହଞ୍ଚିଛନ୍ତି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଅଜିତ ଡୋଭାଲ । ଏଠାରେ ଡୋଭାଲ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବେ । ଏହା ମଧ୍ୟ କୁହାଯାଉଛି ଯେ, ଡୋଭାଲ ରୁଷ ସହ ତୈଳ କ୍ରୟକୁ ନେଇ କୌଣସି ବଡ ଡିଲ୍ କରି ପାରନ୍ତି । ରିପୋର୍ଟ ଅନୁଯାୟୀ, ଡୋଭାଲଙ୍କ ଏହି ଗସ୍ତ ପୂର୍ବ ପ୍ରସ୍ତୁତି ଥିଲା ।
ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇବା ସହ ରୁଷ ସହ ତେଲ କାରବାର ନେଇ ମଧ୍ୟ ଜରିମାନା ଲଗାଇଛନ୍ତି । ଫଳରେ ଏବେ ଭାରତ ଓ ଆମେରିକା ମଧ୍ୟରେ ସଂପର୍କରେ ତିକ୍ତତା ଆସିଥିବା ସ୍ପଷ୍ଟ ଦେଖିବାକୁ ମିଳିଛି । ଅଜିତ ଡୋଭାଲଙ୍କ ଏହି ଗସ୍ତ ବହୁତ ଗୁରୁତ୍ୱ ବହନ କରୁଛି । ରିପୋର୍ଟ ଅନୁଯାୟୀ, ରୁଷ ଭାରତକୁ ତେଲ ଆମଦାନୀ ଉପରେ ଆହୁରି ରିହାତି ଦେଇପାରେ । ଆମେରିକା ଯେବେଠୁ ଭାରତ ଉପରେ ଟାରିଫ ଘୋଷଣା କରିଛନ୍ତି, ତେବେଠୁ ରୁଷ ଡୋନାଲ୍ଡ ଟ୍ରମ୍ପଙ୍କୁ ଘେରିବାରେ ଲାଗିଛି । ରୁଷ ଅନେକ ଥର କହି ସାରିଛି ଯେ, ଅନ୍ୟ କୌଣସି ଦେଶର ଦଖଲରେ ଭାରତ ଓ ରୁଷ ସମ୍ପର୍କ ଦୁର୍ବଳ ହେବ ନାହିଁ । ଚଳିତ ମାସର ଶେଷ ଆଡକୁ ମଧ୍ୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ରୁଷ ଗସ୍ତ କରି ପାରନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅନେକ ଭିତ୍ତିହୀନ ଅଭିଯୋଗ ଲଗାଇଛନ୍ତି । ଟ୍ରମ୍ପଙ୍କ କହିବା କଥା ଭାରତ ରୁଷଠୁ ଶସ୍ତାରେ ତେଲ କିଣି ଅନ୍ୟ ଦେଶକୁ ଉଚ୍ଚ ଦରରେ ବିକ୍ରି କରୁଛି । ଏଥିରେ ଭାରତ ଲାଭବାନ ହେଉଛି । ଆଉ ରୁଷ ଭାରତଠୁ ମିଳୁଥିବା ଅର୍ଥର ବ୍ୟବହାର ୟୁକ୍ରେନର ଲୋକଙ୍କୁ ମାରିବା ପାଇଁ କରୁଛି । ହେଲେ ଭାରତ ଟ୍ରମ୍ପଙ୍କ ଏମିତି ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ଖାରଜ କରିଛି । ଭାରତ କହିଛି ଯେ, ଭାରତ ସର୍ବପ୍ରଥମେ ନିଜର ରାଷ୍ଟ୍ରୀୟ ହିତ ଓ ଅର୍ଥବ୍ୟବସ୍ଥାକୁ ସୁରକ୍ଷିତ କରିବା ପାଇଁ ବିଚାର କରିବ ।