ଭୁବନେଶ୍ୱର: ବର୍ତ୍ତମାନର ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ତେଣୁ, ଅଧିକାରୀମାନେ ଦୁର୍ନୀତିରୁ ଦୂରରେ ରୁହିବାକୁ ପୁଣି ଥିରେ ମୁଖ୍ୟମନ୍ତ୍ରୀ ସାବଧାନ କରାଇଦେଇଛନ୍ତି । ସେହିପରି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯାହା ଲୋକଙ୍କୁ ଫଳ, ପୁଷ୍ପ ଏବଂ ଛାୟା ପ୍ରଦାନ କରିପାରିବ ସେହିଭଳି ଗଛ ଲଗାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
କସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ବୋଧନରେ ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କ ସହିତ ସମ୍ବେଦନଶୀଳ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ହାତୀ-ମନୁଷ୍ୟ ସଂଘର୍ଷକୁ ହ୍ରାସ କରିବା ପାଇଁ ବିଭାଗ ପକ୍ଷରୁ ଜଙ୍ଗଲ ଭିତରେ ହାତୀ ଖାଦ୍ୟ ପାଇଁ ଧାନ ଚାଷ କରିବା ପରାମର୍ଶ ଦେଇଥିଲେ।
ସେହିପରି ବନ୍ୟପ୍ରାଣୀ ଶିକାର ରୋକିବା, ଜଙ୍ଗଲ ନିଆଁ ରୋକିବାରେ ଜଙ୍ଗଲ ବିଭାଗ ଭଲ କାମ କରୁଛି। ତଥାପି ଏ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ କରିବାକୁ ପଡିବ । ଆବଶ୍ୟକ ସ୍ଥଳେ ବ୍ୟାପକ ଜନସଚେତନ ସୃଷ୍ଟି ସହିତ ନୂଆ ଟେକ୍ନୋଲୋଜିର ପ୍ରୟୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜଙ୍ଗଲ ସୁରକ୍ଷା ପାଇଁ ସ୍ୱେଚ୍ଛାସେବୀ ସଂଗଠନ, ନାଗରିକ ସୁରକ୍ଷା ମଞ୍ଚ ଇତ୍ୟାଦିର ସହଯୋଗ କାମନା କରିଥିଲେ । ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର ପ୍ରମିଳା ପ୍ରଧାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ୨୦୩୬ ସମୃଦ୍ଧ ଓଡିଶା ଗଠନ ପାଇଁ ସବୁଜ ଓଡିଶା ଗଠନର ଲକ୍ଷ୍ୟ ପୂରଣରେ ବିଭାଗୀୟ ଅଧିକାରୀଙ୍କ ନିଷ୍ଠାପର ଯୋଗଦାନ କାମନା କରିବା ସହିତ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ୍ ଓ ଗବେଷଣା ଦିଗ ପ୍ରତି ଗୁରୁତ୍ୱାରୋପ କରି ଲୋକମାନଙ୍କ ସେବା କରିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।
ସେହିପରି ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଛନ୍ତି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ହେଉଛି ଏ ସମାଜର ଜୀବନ ରେଖା। ଏ ସୃଷ୍ଟିର ମୌଳିକତାକୁ ବଜାୟ ରଖିବାରେ ଏହି ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଛି ।