ପୁରୀ: ଶ୍ରୀମନ୍ଦିରରେ ହିଡେନ କ୍ୟାମେରା ଘଟଣାରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେ ଶ୍ରୀମନ୍ଦିରେ ବାରମ୍ବାର ହିଡେନ୍ କ୍ୟାମେରା ନେଇ ଭକ୍ତମାନେ ପ୍ରବେଶ କରୁଥିବାରୁ ଏହାକୁ ଗମ୍ଭୀରତାର ସହ ବିଚାର କରୁଛୁ । ଏଥିପାଇଁ ଆହୁରି କଡ଼ାକଡ଼ି ଚେକିଂ କରାଯିବା ନେଇ ମନ୍ତ୍ରୀ କହିଛନ୍ତି। ହିଡେନ କ୍ୟାମେରା ବ୍ୟବହାର କରୁଥିବାରୁ ଏହା ଜାଣିବା ବି କଷ୍ଟ, କେବଳ ଫଟୋ ଉଠାଇବା ବେଳେ ଜାଣି ହେବ । ତେଣୁ ଯେଉଁମାନେ ଏଭଳି ଚଞ୍ଚକତା କରି ଶ୍ରୀମନ୍ଦିର ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଉଚିତ ଦଣ୍ଡ ଦିଆଯିବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ସୂଚନା ଅନୁସାରେ ଆଜି ପଶ୍ଚିମଦ୍ଵାର ଦେଇ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ପ୍ରବେଶ କରୁଥିବା ବେଳେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି । ପ୍ରତିଶ ପାଲ ନାମକ ଏହି ଯୁବକ ପଶ୍ଚିମବଙ୍ଗର ଅଧିବାସୀ ବୋଲି ଜଣା ପଡ଼ିଛି । ତାଙ୍କୁ ଥାନାରେ ଅଟକ ରଖାଯିବା ସହ ତାଙ୍କ ମୋବାଇଲକୁ ଯାଞ୍ଚ କରାଯାଉଥିବା ବେଳେ କ୍ୟାମେରା ଯୁକ୍ତ ଚଷମାକୁ ଜବତ କରାଯାଇଛି । ଗତକାଲି ମଧ୍ୟ ଶ୍ରୀମନ୍ଦିରରୁ ଧରା ହୋଇଥିଲା ହିଡେନ୍ କ୍ୟାମେରାଯୁକ୍ତ ଚଷମା। ଜଣେ ଗୁଜୁରାଟୀ ଭକ୍ତଙ୍କଠାରୁ ଧରାପଡିଥିଲା ହିଡେନ୍ କ୍ୟାମେରା । ବ୍ୟକ୍ତି ଜଣକ ଗୁଜୁରାଟର ବିପୁଲ୍ ପଟେଲ୍ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଟାଉନଥାନାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଶ୍ରୀମନ୍ଦିର ଭିତରୁ ଭକ୍ତଙ୍କୁ ହିଡେନ୍ କ୍ୟାମେରା ସହ କାବୁ କରିଥିଲା ଟାଉନ୍ ଥାନା ପୁଲିସ । ଅପରାହ୍ଣ ପ୍ରାୟ ସାଢେ ୫ଟାରେ ବ୍ୟକ୍ତି ଜଣଙ୍କ ମୁକ୍ତିମଣ୍ଡପ ନିକଟ କୀର୍ତ୍ତନ ଚକଡାକୁଞ୍ଜରେ ବସି ଚାରିଆଡ଼େ ନିରୀକ୍ଷଣ କରିଥିଲେ । ଚଷମା ଜରିଆରେ ବିଭିନ୍ନ ଫଟୋ ଉଠାଇଥିଲେ । କିଛିଦିନ ପୂର୍ବରୁ ପୁରୀର ଜଣେ ଯୁବକ ମଧ୍ୟ ଚଷମାରେ ସ୍ପାଏ୍ କ୍ୟାମେରା ନେଇ ଶ୍ରୀମନ୍ଦିରରୁ ଧରା ପଡ଼ିଥିଲେ। ୧୦ ଦିନ ମଧ୍ୟରେ ତିନିଜଣଙ୍କ ଠାରୁ ହିଡେନ୍ କ୍ୟାମେରା ଜବତ ହୋଇସାରିଲାଣି । ତେବେ ବାରମ୍ବାର ଏଭଳି ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।