କଟକ : ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ପ୍ରଶ୍ନପତ୍ର ଲିକ୍ ମାମଲାରେ ନିହାର ରଞ୍ଜନ କ୍ରାଇମବ୍ରାଞ୍ଚ ସ୍କାନରରେ ଥିବା ବେଳେ ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ।
ଗତ କିଛି ଦିନ ହେବ ନିହାରଙ୍କ ଉପରେ ସନ୍ଦେହ ଘନୀଭୂତ ହେଉଥିବା ବେଳେ ଗତକାଲି କ୍ରାଇମବ୍ରାଞ୍ଚ ତାଙ୍କୁ ଡାକି ବହୁ ସମୟ ଜେରା କରିଥିଲା। ଏହି ସମୟରେ ତାଙ୍କୁ ଗୁଡ଼ାଇତୁଡ଼ାଇ ଅନେକ ପ୍ରଶ୍ନ ପଚରାଯାଇଥିଲା। ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଏହି ମାମଲାର ଛାନଭିନ୍ କରି କ୍ରାଇମବ୍ରାଞ୍ଚ ଟିମ୍ ୭ଜଣଙ୍କୁ ଗିରଫ କରି ସାରିଛି ।
ଗତ ଜୁଲାଇ ୨୦ତାରିଖରେ ଏହି ପରୀକ୍ଷା ହେବାର ଥିଲା କିନ୍ତୁ ୧୯ ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ଦିନକ ପୂର୍ବରୁ ବାତିଲ କରିଦେଇଥିଲେ । ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ସମୁଦାୟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଥିବା ବେଳେ ଆଜି ବୋର୍ଡ ଉପସଭାପତିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଉପସଭାପତି ନିହାରଙ୍କ ଲାପଟପରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା ତେବେ ନିହାରଙ୍କ ଲାପଟପ୍କୁ ପ୍ରଶ୍ନପତ୍ର ଆସିଲା କିପରି ଏହାର ଛାନଭିନ ଆରମ୍ଭ ହୋଇ ତାଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ କ୍ୟାଡର ଶିକ୍ଷକ ସଙ୍ଗଠନର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ର ଓ କୋରାପୁଟ ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଗଠନର ସଭାପତି ସନାତନ ବିଶୋୟୀଙ୍କୁ ପ୍ରଦାନ କରିଥିଲେ । ଏହି ବ୍ୟକ୍ତିମାନେ ପୂର୍ବ ସ୍ପେଶାଲ୍ ଓଟିଇଟି ପରୀକ୍ଷାରେ ଅସଫଳ ହୋଇଥିବା ଶିକ୍ଷକମାନଙ୍କୁ ରାମଜୀ ପ୍ରସାଦ ଗୁପ୍ତା, ଅଜୟ ସାହୁ ଓ ଜୟନ୍ତ କୁମାର ରାଉତଙ୍କ ମାଧ୍ୟମରେ ଲିକ୍ ହୋଇଥିବା ପ୍ରଶ୍ନପତ୍ର ବିକ୍ରି କରିଥିଲେ । ଅଭିଯୁକ୍ତମାନେ ଏହି ପ୍ରଶ୍ନପତ୍ର ବଦଳରେ ଶିକ୍ଷକମାନଙ୍କଠାରୁ ବ୍ୟାଙ୍କ ଟ୍ରାନ୍ସଫର ଓ ନଗଦ ଟଙ୍କା ଗ୍ରହଣ କରିଥିଲେ ।
ଚାକିରି ନିୟମିତକରଣ ଓ ବେତନ ବୃଦ୍ଧି ପାଇଁ ଆଶାୟୀ ଶିକ୍ଷକମାନଙ୍କୁ ଶୋଷଣ କରି ପ୍ରଶ୍ନପତ୍ର ବିକ୍ରି କରିବା ଏହି ଷଡ଼ଯନ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଡାଟା ଏଂଟ୍ରି ଅପରେଟର ଜିତନ ମହାରଣା ଫୋନ-ପେ ମାଧ୍ୟମମରେ ୨.୫୦ଲକ୍ଷ ଟଙ୍କା ପାଇଥିଲେ । ଅନ୍ୟ ଅଭିଯୁକ୍ତଙ୍କ ଆକାଉଂଟ ଯାଂଚ ଚାଲିଛି, କାରଣ ଏହି ରାକେଟ ବିଭିନ୍ନ ଜିଲ୍ଲାରେ ସକ୍ରିୟ ଥିବା ସନ୍ଦେହ କରାଯାଉଛି ଏବଂ ପ୍ରଚୁର ଅର୍ଥ ସଂଗ୍ରହ କରିଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କର ମୋବାଇଲ ଫୋନ୍ ସମେତ ଇଲେକ୍ଟ୍ରୋନିକ ଉପକରଣ ଓ ଲିକ୍ ହୋଇଥିବା ପ୍ରଶ୍ନପତ୍ର ଜବତ କରାଯାଇଛି ।