ରାୟଗଡା: ରାୟଗଡା ଜିଲ୍ଲା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ଗୁମ୍ମା ଗାଁରେ ଏକ ଅଘଟଣ ଘଟିଯାଇଛି । ରାତି ଶୋଇଥିବା ବେଳେ ଦୋକାନ ଘରେ ଏକ ଆଲୁମିନିୟମ ବୋଝେଇ ଟ୍ୟାଙ୍କର ଚଢ଼ିଯାଇଛି । ଯାହା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ପାତ୍ର ।
ସୂଚନା ଅନୁସାରେ, ରାତି ଖାଇସାରି ଶୋଇଥିବା ବେଳେ ମଧ୍ୟ ରାତ୍ରି ପ୍ରାୟ ୨ .୩୦ ସମୟରେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଦୋକାନ ଉପରେ ମାଡିଯାଇଥିଲା। ଫଳରେ ଟ୍ରକ୍ ଭିତରେ ମୃତ ମହିଳାଙ୍କ ସମେତ ତାଙ୍କ ସ୍ୱାମୀ ଓ ଡ୍ରାଇଭର ଚାପି ହୋଇଯାଇଥିଲେ। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏଯାଏଁ ମୃତ ଶରୀର ଟ୍ରକ୍ ତଳେ ଚାପି ହୋଇ ରହିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ଦୁଇ ଗୁରୁତରଙ୍କ ମୁଣ୍ଡରେ ଓ ଗୋଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।