ବଳଙ୍ଗା: ଆଜି ରାତିରେ ଦିଲ୍ଲୀରୁ ବାହାରିବ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଓଡ଼ିଶା ଆସିବ । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ହସ୍ତାନ୍ତର କରାଯିବ । ମଧ୍ୟାହ୍ନ ସୁଦ୍ଧା ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ମିଳିଛି । ମର ଶରୀର ଭୁବନେଶ୍ବର ପଠାଇବା ପାଇଁ ଆବାସିକ କମିସନରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ମରଶରୀର ଭୁବନେଶ୍ବରରେ ପହଞ୍ଚିବା ପରେ ବଳଙ୍ଗା ସ୍ଥିତ ଗାଁକୁ ନିଆଯିବ । ସେଠାରେ ଶେଷକୃତ୍ୟ କରାଯିବ ।
ଗତକାଲି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ବଳଙ୍ଗା ପୀଡିତା । ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଗତ ମାସ ୨୦ ତାରିଖରେ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତରଙ୍କ ଶତ ଚେଷ୍ଟା ପରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଯୋଗ୍ୟ, ଗତ ମାସ ୧୯ ତାରିଖରେ ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତିନି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ହତ୍ୟା ପାଇଁ ଉଦ୍ୟମ କରିଥିଲେ । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ପୀଡିତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣାର ତଦନ୍ତ ଜାରି ରହିଥିଲା । ପୋଲିସ ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ଗସ୍ତ କରି ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା ।