ଲଣ୍ଡନ: ଅବିଶ୍ଵସନୀୟ, ଅବର୍ଣ୍ଣନୀୟ ଓ କଳ୍ପନା ବାହାରେ ଓଭାଲ ଟେଷ୍ଟ ଜିତିଲା ଭାରତ। ପଞ୍ଚମ ଟେଷ୍ଟକୁ ୬ ରନର ସ୍ଵଳ୍ପ ବ୍ୟବଧାନରେ ଜିତିଛି ଗିଲ୍ ବାହିନୀ। ଏହା ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠାରୁ କମ ବ୍ୟବଧାନରେ ବିଜୟ। ବିଜୟ ସହ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨-୨ ଡ୍ରରେ ଶେଷ ହୋଇଛି। ପ୍ରଥମ ଇନିଂସ ମାତ୍ର ୨୨୪ ରନରେ ଅଲଆଉଟ ହେବା ଠାରୁ ଐତିହାସିକ ୬ ରନର ବିଜୟ ପର୍ଯ୍ୟନ୍ତ, ପଞ୍ଚମ ଟେଷ୍ଟରେ ବହୁତ କିଛି ସ୍ମରଣୀୟ ମୁହୂର୍ତ୍ତ ଦେଖିବାକୁ ମିଳିଛି। ଏହି ୫ଟି କାରଣ ଯାହା ଭାରତୀୟ ଦଳକୁ ଓଭାଲ ଟେଷ୍ଟରେ ବିଜୟ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।
ମହମ୍ମଦ ସିରାଜଙ୍କ କମାଲ?
ଯଶପ୍ରୀତ ବୁମରା ପଞ୍ଚମ ଟେଷ୍ଟ ଖେଳୁ ନଥିଲେ। ତେଣୁ ମହମ୍ମଦ ସିରାଜ ଭାରତର ସବୁଠାରୁ ଅଭିଜ୍ଞ ଦ୍ରୁତ ବୋଲର ଭାବେ ପଞ୍ଚମ ଟେଷ୍ଟରେ ବୋଲରଙ୍କ ନେତୃତ୍ଵ ନେଇଥିଲେ। ସେ ମ୍ୟାଚ୍ରେ ଶାଣିତ ବୋଲିଂ କରି ମୋଟ ୯ ୱିକେଟ୍ ନେଇଥିଲେ। ସିରାଜ ମାନସିକ ଭାବରେ ବହୁତ ଶକ୍ତିଶାଳୀ ଦେଖାଯିବା ସହ ନିଜର ପ୍ରତ୍ୟେକ ବଲ୍ରେ ଇଂରେଜ ବ୍ୟାଟରଙ୍କୁ ଅଡ଼ୁଆରେ ପକାଇଥିଲେ।
ବ୍ୟାଟିଂରେ ଗଭୀରତା କାମ ଦେଲା
ପୂରା ସିରିଜରେ, ଭାରତର ଟିମ୍ ମ୍ୟାନେଜମେଣ୍ଟ ବ୍ୟାଟିଂ ଗଭୀରତାର ରଣନୀତି ଆପଣେଇଥିଲେ। ପ୍ରଥମ ଇନିଂସରେ ଭାରତ ୧୫୩ ରନରେ ୬ ୱିକେଟ ହରାଇଥିଲା, କିନ୍ତୁ ଶେଷ ୪ ୱିକେଟରେ ୭୧ ରନ ଯୋଡି ଭାରତକୁ ୨୨୪ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲା। ଦ୍ୱିତୀୟ ଇନିଂସ ଶେଷରେ ୱାଶିଂଟନ ସୁନ୍ଦର ୫୩ ରନର ଇନିଂସ ଖେଳି ଭାରତର ସ୍କୋର ୪୦୦ ପାଖରେ ପହଞ୍ଚାଇଥିଲେ। ଯଦି ସୁନ୍ଦରଙ୍କ ଏହି ଇନିଂସ ଆସି ନଥାନ୍ତା, ତେବେ ଇଂଲଣ୍ଡକୁ ହୁଏତ ୩୩୦-୩୪୦ ର ଟାର୍ଗେଟ ମିଳିଥାନ୍ତା।
ବୋଲର ଦେଲେ ବଡ଼ ଭରସା
ସାଧାରଣତଃ ଦେଖାଯାଏ ପ୍ରତି ମ୍ୟାଚ୍ରେ ଭାରତର ପ୍ରମୁଖ ବୋଲର ଭଲ ପ୍ରଦର୍ଶନ କରୁଥିବା ବେଳେ ଅନ୍ୟପଟେ ତାଙ୍କୁ ସମର୍ଥନ ମିଳୁ ନ ଥିଲା। କିନ୍ତୁ ଓଭାଲ ଟେଷ୍ଟରେ ଗୋଟିଏ ପଟେ ମହମ୍ମଦ ସିରାଜ ନେତୃତ୍ୱ ନେଇ ୯ ୱିକେଟ ନେଇଥିବା ବେଳେ ତାଙ୍କୁ ଉତ୍ତମ ସହଯୋଗ ଦେଇ ପ୍ରସିଦ୍ଧ କୃଷ୍ଣ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ ଏବଂ ମ୍ୟାଚରେ ମୋଟ ୮ ୱିକେଟ ନେଇଥିଲେ।
ପଞ୍ଚମ ଦିନରେ ନୂତନ ବଲ୍ ନେଇ ନ ଥିଲା ଭାରତ
ପଞ୍ଚମ ଦିନରେ ଇଂଲଣ୍ଡକୁ ଜିତିବା ପାଇଁ ୩୫ ରନ ଦରକାର ଥିଲା। ପଞ୍ଚମ ଦିନରେ ଦ୍ରୁତ ବୋଲରଙ୍କୁ ପିଚ୍ରୁ ଭଲ ସୁଇଙ୍ଗ ଓ ଗତି ମିଳୁଥିଲା। ଯାହାର ଫାଇଦା ଉଠାଇଥିଲେ ସିରାଜ ଏବଂ କ୍ରିଷ୍ଣା। ପୁରୁଣା ବଲକୁ ନେଇ ଦୁଇ ବୋଲର ବହୁତ ସୁଇଙ୍ଗ କରୁଥିଲେ, ଯାହା ଇଂଲଣ୍ଡ ବ୍ୟାଟରଙ୍କୁ ବେଶ ଅଡ଼ୁଆରେ ପକାଇଥିଲା। ଯଦି ଭାରତ ନୂତନ ବଲ୍ ନେଇଥାନ୍ତା, ତେବେ ଏହା ପୁରୁଣା ବଲ୍ ଅପେକ୍ଷା ଅଧିକ ବାଉନ୍ସ ହୋଇଥାନ୍ତା, ଏପରି ପରିସ୍ଥିତିରେ ବ୍ୟାଟରମାନଙ୍କ ପାଇଁ ବ୍ୟାଟିଂ ଟିକେ ସୁହାଇଥାନ୍ତା।
ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ କାମରେ ଆସିଲେ ଜୟସ୍ଵାଲ
ଓଭାଲ୍ ଟେଷ୍ଟ ପୂର୍ବରୁ ଯଶସ୍ୱୀ ଜୟସ୍ୱାଲ୍ ୮ ଇନିଂସରେ ୩୨୩ ରନ୍ କରିଥିଲେ। ସେହି ସମୟରେ ଜୟସ୍ୱାଲ୍ ଇଂଲଣ୍ଡ ବିପକ୍ଷ ସିରିଜର ଶେଷ ୬ ଇନିଂସରେ ଲଗାତାର ବିଫଳ ହେଉଥିଲେ। ଶେଷରେ ଜୟସ୍ୱାଲ୍ ଓଭାଲ୍ ଟେଷ୍ଟର ଦ୍ଵିତୀୟ ଇନିଂସରେ ଶତକ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ, ଜୟସ୍ୱାଲ୍ ୧୧୮ ରନ୍ କରିଥିଲେ, ଯାହା ଦଳ ପାଇଁ ବେଶ ଫଳପ୍ରଦ ରହିଛି। ତାଙ୍କର ଏହି ବ୍ୟାଟିଂ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୩୯୬ ରନ୍ ରେ ପହଞ୍ଚିପାରିଥିଲା।