କଟକ: ଶ୍ରାବଣର ଶେଷ ସୋମବାରରେ ଶିବଙ୍କୁ ଜଳଲାଗି କରିବାକୁ ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ଭିଡ଼ ଜମିଛି। ନଦୀରୁ ପାଣି ଉଠାଇ ଶିବଙ୍କୁ ଲାଗି କରୁଛନ୍ତି ହଜାର ହଜାର କାଉଡ଼ିଆ। ଏହାରି ଭିତରେ କଟକ ଜିଲ୍ଲା ସାଲେପୁର ଅଞ୍ଚଳରୁ ଏକ ଦୁଃଖଦ ଖବର ଆସିଛି। ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସାଲେପୁର ଚିତ୍ରୋତଳା ବଟେଶ୍ୱର ନଦୀ ଘାଟରେ ପାଣି ଉଠାଉଥିବା ବେଳେ ଜଣେ କାଉଡ଼ିଆ ନିଖୋଜ ହୋଇଯାଇଛନ୍ତି। ନିଖୋଜ କାଉଡିଆ ଜଣକ ହେଉଛନ୍ତି ସାଲେପୁର ଥାନା ସୁନାଖଣ୍ଡି ଗାଁର ରବୀନ୍ଦ୍ର କରଙ୍କ ଏକ ମାତ୍ର ପୁଅ ଅମୃତ କର । ବଟେଶ୍ୱର ଘାଟରୁ ପାଣି ଉଠାଉଥିବା ବେଳେ ତାଙ୍କ ଗୋଡ଼ ଖସିଯିବାରୁ ପାଣିର ପ୍ରଖର ସ୍ରୋତରେ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବିଭାଗ ଦୀର୍ଘ ସମୟ ଧରି ଖୋଜାଖୋଜି ଜାରି ରଖିଥିଲେ ବି ତାଙ୍କର ଏବେସୁଦ୍ଧା କୌଣସି ପତ୍ତା ମିଳିପାରିନାହିଁ ।