ନୂଆଦିଲ୍ଲୀ: ଭାରତ ରୁଷ ସହ ତେଲ ଆମଦାନୀକୁ ନେଇ ଆମେରିକା ଓ ୟୁରୋପୀୟ ୟୁନିୟନ ସଂଘର ସମାଲୋଚନା କରି କଡା ଜବାବ ଦେଇଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସୋମବାର ସ୍ପଷ୍ଟ କରିଛନ୍ତି ଯେ, ଭାରତ ନିଜର ରାଷ୍ଟ୍ରୀୟ ହିତ ଓ ଆର୍ଥିକ ସୁରକ୍ଷାର ରକ୍ଷା ପାଇଁ ପ୍ରତିଟି ଆବଶ୍ୟକୀୟ ପଦକ୍ଷେପ ଉଠାଇବ । ଏଥିସହ ସେ ରୁଷ ତେଲ ଉପରେ ଆମେରିକାର ଦୋମୁହାଁ ନୀତିର ମଧ୍ୟ ପୋଲ୍ ଖୋଲିଛନ୍ତି । ଜୟସ୍ୱାଲ କହିଛନ୍ତି, ଉକ୍ତ ସମୟରେ ଆମେରିକା ସରକାର ମଧ୍ୟ ଭାରତର ଏହି ପଦକ୍ଷେପକୁ ସମର୍ଥନ କରିଥିଲା । ଏହା ବ୍ୟତୀତ ଆମେରିକା ନିଜେ ରୁଷ ସହ ବାଣିଜ୍ୟ କରୁଛି ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର କହିଛନ୍ତି ରୁଷଠୁ ତେଲ କିଣିବା ଉପରେ ଭାରତକୁ ଟାର୍ଗେଟ୍ କରିବା ସଂପୂର୍ଣ୍ଣ ଅନୁଚିତ । ଯେବେ ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେଲାରୁ ପାରମ୍ପରିକ ଭାବେ ତେଲ ଯୋଗାଣ ୟୁରୋପ ଆଡକୁ ମୋଡି ଦିଆଯାଇଥିଲା । ଏହି କାରଣରୁ ଭାରତକୁ ବିକଳ୍ପ ଭାବେ ରୁଷଠୁ ତେଲ ମଗାଇବାକୁ ପଡିଥିଲା । ସେହି ସମୟରେ ଆମେରିକା ନିଜେ ଭାରତର ଏହି ପଦକ୍ଷେପ ସମର୍ଥନ କରିଥିଲା । କାରଣ ଭାରତର ଏହି ପଦକ୍ଷେପରେ ବୈଶ୍ୱିକ ଉ୍ଜା ବଜାରରେ ସ୍ଥିରତା ବଜାୟ ରହି ପାରିବ ।
ଜୟସ୍ୱାଲ କହିଛନ୍ତି, ଭାରତର ତେଲ ଆମଦାନୀ କୌଣଶି ବିକଳ୍ପ ନୁହେଁ ବରଂ ଆମର ଆବଶ୍ୟକତା । ଯଦ୍ୱାର ଦେଶବାସୀଙ୍କୁ ଶସ୍ତା ଏବଂ ସ୍ଥିର ମୂଲ୍ୟରେ ଇନ୍ଧନ ଯୋଗାଇ ପାରିବୁ । ଆଶ୍ଚର୍ଯ୍ୟକର କଥା ଯେଉଁ ଦେଶ ଆଜି ଭାରତର ସମାଲୋଚନା କରୁଛନ୍ତି, ସେମାନେ ନିଜେ ରୁଷ ସହ ବ୍ୟାପକ ପରିମାଣରେ କାରବାର କରୁଛନ୍ତି ।
୨୦୨୪ ମସିହାରେ ୟୁରୋପୀୟ ସଂଘ ଏବଂ ରୁଷ ମଧ୍ୟରେ ସାମଗ୍ରୀ କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟ ୬୭.୫ ବିଲିୟନ ୟୁରୋରେ ପହଞ୍ଚିଥିଲା। ଏହା ବ୍ୟତୀତ, ୨୦୨୩ ମସିହାରେ ସେବା କ୍ଷେତ୍ରରେ ବାଣିଜ୍ୟ ୧୭.୨ ବିଲିୟନ ୟୁରୋ ଆକଳନ କରାଯାଇଥିଲା। ଏହା ଭାରତ-ରୁଷ ବାଣିଜ୍ୟ ତୁଳନାରେ ଅନେକ ଗୁଣ ଅଧିକ।
୨୦୨୪ରେ, ୟୁରୋପ ରୁଷରୁ ୧୬.୫ ନିୟୁତ ଟନ୍ ଏଲଏନଜି (ତରଳ ପ୍ରାକୃତିକ ଗ୍ୟାସ) ଆମଦାନୀ କରିଥିଲା, ଯାହା ୨୦୨୨ ମସିହାରେ ୧୫.୨୧ ନିୟୁତ ଟନ୍ ର ପୂର୍ବ ରେକର୍ଡକୁ ଅତିକ୍ରମ କରିଥିଲା। ଶକ୍ତି ବ୍ୟତୀତ, ୟୁରୋପୀୟ ବାଣିଜ୍ୟରେ ସାର, ଖଣି ଉତ୍ପାଦ, ରାସାୟନିକ ପଦାର୍ଥ, ଲୁହା-ଇସ୍ପାତ ଏବଂ ଯନ୍ତ୍ରପାତି ମଧ୍ୟ ଅନ୍ତର୍ଭୁକ୍ତ।
ଆମେରିକା ମଧ୍ୟ ରୁଷ ସହିତ ନିରନ୍ତର ବାଣିଜ୍ୟ କରୁଛି। ଏହାର ପରମାଣୁ ଶିଳ୍ପ ପାଇଁ ୟୁରାନିୟମ ହେକ୍ସାଫ୍ଲୋରାଇଡ, ବୈଦ୍ୟୁତିକ ଯାନବାହନ ଶିଳ୍ପ ପାଇଁ ପାଲାଡିୟମ୍, ସାର ଏବଂ ରାସାୟନିକ ପଦାର୍ଥ ଆମଦାନୀ କରୁଛି। ଏପରି ପରିସ୍ଥିତିରେ, ଭାରତକୁ ଟାର୍ଗେଟ କରିବା କେବଳ ଅନୁଚିତ ନୁହେଁ ବରଂ ବିଶ୍ୱ କପଟତାକୁ ମଧ୍ୟ ଦର୍ଶାଉଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।