ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ମାମଲାରେ ତାଙ୍କର ଦୁଇ ଘନିଷ୍ଠ ବନ୍ଧୁ ଗିରଫ ହେବା ପରେ ରାଜ୍ୟ ରାଜନୀତି ପାଣିପାଗ ପୁଣି ଥରେ ଉଷ୍ଣ ହୋଇଛି । ଘଟଣାରେ ସମ୍ପୃକ୍ତି ଥିବା ବଡ଼ ମାଛଙ୍କୁ ବଞ୍ଚାଇବା ପାଇଁ ଏହି ଗିରଫଦାରି ହୋଇଥିବା ବିରୋଧୀ ବିଜେଡ଼ି ଅଭିଯୋଗ କରିଛି । ରାଜନୀତି ନ କରି ବିତର୍କକୁ ଆସିବାକୁ ବିରୋଧୀଙ୍କୁ ଖୋଲାଖୋଲି ଆହ୍ୱାନ କରିଛି ବିଜେପି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଦୁଇ ଛାତ୍ରଙ୍କ ଗିରଫଦାରୀକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛି । ଦଳ ଅଭିଯୋଗ କରିଛି ଯେ ବଡ଼ ମାଛଙ୍କୁ ବଞ୍ଚାଇବା ପାଇଁ ଛୋଟ ମାଛଙ୍କୁ ଧରାଯାଇଛି । ଛାତ୍ରୀ ଜଣକ ଆତ୍ମହତ୍ୟା କରିନି ବରଂ ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ଏବଂ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛି ବିଜେଡି । ଆଗାମୀ ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପି ସକ୍ଷମ ନ ଥିଲା । ତେଣୁ ନିର୍ବାଚନ ପାଇଁ ଏଭଳି ନାଟକ ରଚିବାରୁ ଛାତ୍ରୀଙ୍କ ଜୀବନ ଯାଇଛି । ଏଥିରେ ଅନେକ ବଡ଼ ବଡ଼ ଲୋକ ସାମିଲ ଅଛନ୍ତି । ସମସ୍ତଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରୁ । ଏପରିକି ବାଲେଶ୍ୱର ସାଂସଦ ଏବଂ ଏବିଭିପିର ଦୀପ୍ତିମୟୀଙ୍କ ବିରୋଧରେ ମଧ୍ୟ ତଦନ୍ତ ହେଉ ବୋଲି ବିଜେଡ଼ି ଦାବି କରିଛନ୍ତି ।
ବିଜେଡ଼ି ଅଭିଯୋଗକୁ କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ଅମର ନାୟକ । ସେ କହିଛନ୍ତି ୨୫ ବର୍ଷର ଶାସନରେ ସରକାର କେଉଁଭଳି ନ୍ୟାୟ ଦେଉଥିଲେ ଜଣାଅଛି । ମହିଳା ବିରୋଧୀ ଅପରାଧରେ ବର୍ତ୍ତମାନ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି । ଆସାମୀ ଯିଏ ବି ହେଲେ ଗିରଫ ହେଉଛନ୍ତି ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏଭଳି ୧୦୦ ଘଟଣାର ଉଦାହରଣ ଅଛି । ତେଣୁ ବିରୋଧୀ ରାଜନୀତି ନ କରି ବିତର୍କକୁ ଆସନ୍ତୁ ଖୋଲା ଆହ୍ୱାନ କରିଛନ୍ତି ଅମର ନାୟକ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଗତକାଲି ବିଳମ୍ବିତ ରାତିରେ ଏବିଭିପି ରାଜ୍ୟ ଯୁଗ୍ମ ସମ୍ପାଦକ ଶୁଭ୍ର ସମ୍ବିତ ନାୟକ ଏବଂ ଛାତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଜ୍ୟୋତି ପ୍ରକାଶ ବିଶ୍ୱାଳ । ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।