ଭୁବନେଶ୍ୱର: ପ୍ରବାସୀ ଶ୍ରମିକ ଏବଂ ସେମାନଙ୍କ ପରିବାର ପାଇଁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଭୁବନେଶ୍ୱର କୃଷି ଭବନଠାରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଆରମ୍ଭ ହୋଇଛି ଏହି ସେବା । ୟୁଏନ ମାଇଗ୍ରେସନ, ଏଇଡ଼ ଏଟ ଆକ୍ସନ ଓ ମାଇଗ୍ରେସନ ମଲ୍ଟି ପାର୍ଟନର ଟ୍ରଷ୍ଟ ଫଣ୍ଡର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣତଃ ଚାଷ କାମ ସରିବା ପରେ ରାଜ୍ୟ ଓ ଦେଶ ବାହାରକୁ ଯାଉଥିବା ଶ୍ରମିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ସେମାନଙ୍କ ମାନସିକ ଚାପ ମଧ୍ୟ ବଢିଥାଏ । ଏଥିପାଇଁ ବିଭିନ୍ନ ସମୟରେ ସହଯୋଗର ଆବଶ୍ୟକତା ପଡ଼ିଥାଏ। ତେଣୁ ସହଯୋଗର ହାତ ବଢ଼ାଇବା ସାଙ୍ଗକୁ ପ୍ରବାସୀ ସମସ୍ୟା ଦୂର କରିବା ଦିଗରେ ପଦକ୍ଷେପ ନେବାକୁ ଏହି ଭ୍ରାମ୍ୟମାଣ ସାଧନ କେନ୍ଦ୍ର ସାହାଯ୍ୟ କରିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର । ପ୍ରଥମ ଫସଲ ଉତ୍ପାଦନ ପରେ ଚାଷୀମାନେ ଦ୍ଵିତୀୟ ଚାଷ କଣ କରିବେ ଚିନ୍ତା କରିପାରୁ ନାହାନ୍ତି । ଯେଉଁଥିପାଇଁ ବାହାରକୁ ଯାଇ କାମ କରିବାକୁ ପସନ୍ଦ କରୁଛନ୍ତି । କୃଷି ହିଁ ଏହି ସମସ୍ୟାର ସମାଧାନ କରିପାରିବ । ତେଣୁ ଆଗକୁ ସେ ଦିଗକୁ ଧ୍ୟାନ ଦେଇ ସମସ୍ତ ଚେଷ୍ଟା କରାଯାଉଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ପ୍ରବାସୀ ଶ୍ରମିକ ରହିଛନ୍ତି । ତେଣୁ ଆଗାମୀ ଦିନରେ ସେଠାରେ ଏଭଳି ବ୍ୟବସ୍ଥା ଦ୍ୱାରା ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।