ସୁନ୍ଦରଗଡ଼: ପୁଣି ସାମ୍ନାକୁ ଆସିଲା ମାଓବାଦୀଙ୍କ ହିଂସାତ୍ମକ କାଣ୍ଡ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ମାଓବାଦୀମାନେ ପୁଣି IED ବିସ୍ଫୋରଣ କରିଛନ୍ତି । ପୃଥକ ପୃଥକ ଦୁଇଟି ସ୍ଥାନରେ IED ବିସ୍ଫୋରଣ ହୋଇଛି । ଗୋଟେ ଝାଡ଼ଖଣ୍ଡ କରମପଦା ରେଲୱେ ଷ୍ଟେସନ ନିକଟ ଓ ଅନ୍ୟଟି ଓଡ଼ିଶାର କେ. ବଲାଙ୍ଗ ଥାନା ରେଞ୍ଜଡ଼ା ରେଲୱେ ଟ୍ରାକ୍ରେ ବିସ୍ଫୋରଣ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଲୋକମାନେ ଭୟଭୀତ ଅବସ୍ଥାରେ ମଧ୍ୟ ରହୁଛନ୍ତି ।
ସୂଚନା ଯୋଗ୍ୟ, ଗତକାଲି କରମପଦା-ରେଞ୍ଜଡ଼ା ମଝିରେ ମାଓବାଦୀ ବିସ୍ଫୋରଣ କରିଥିଲା । IED ବିସ୍ଫୋରଣ ଘଟାଇ ମାଓବାଦୀ ରେଲୱେ ଟ୍ରାକ୍ ଉଡ଼ାଇଥିଲେ । ଏହି ଅଘଟଣରେ ଜଣେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ହେବା ସହିତ ଆଉ ଜଣେ ଗୁରୁତର ଆହତ ହୋଇଥିଲେ । ବିସ୍ଫୋରଣ ପରେ ବିମଳାଗଡ଼ ସେକ୍ସନ ଟ୍ରାକ୍ରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିଲା । ସହିଦ ସପ୍ତାହ ଚାଲିଥିବା ବେଳେ ଏପରି ଘଟଣା ସବୁଠି ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣାରେ ମୃତ୍ୟୁ ହୋଇଥିବା ରେଲୱେ କର୍ମଚାରୀଙ୍କୁ ସିଏମଆରଏଫରୁ ୧୦ ଲକ୍ଷ ଟଙ୍କା ସହାୟତା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।