ଭୁବନେଶ୍ୱର: ଲକ୍ଷପତି ଦିଦି ହେବେ କୋଟିପତି ଦିଦି । ସ୍ୱୟଂ ସହାୟକ ଗୋଷ୍ଠୀରେ ଥିବା ଲକ୍ଷପତି ଦିଦିଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ଯୋଜନା କରିବେ । ଏ ନେଇ ଆଜି ସୁଭଦ୍ରା ହିତାଧିକାରୀଙ୍କ ସହିତ ଆଲୋଚନା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଆଜି ଲୋକସେବା ଭବନର ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ସୁଭଦ୍ରା ହିତାଧିକାରୀଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ହିତାଧିକାରୀଙ୍କ ସଫଳତାକୁ ପରଖିବା ପରେ ଖୁସିବ୍ୟକ୍ତି କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ସୁଭଦ୍ରାର ମାତ୍ର ୫ ହଜାର ହଜାର ଟଙ୍କା ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ସୁଭଦ୍ରା ସହାୟତା ରାଶିକୁ ଉପଯୋଗ କରି ମହିଳାମାନେ ଉଦ୍ୟୋମୀ ହେବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କ ଉପରେ ମା’ ସୁଭଦ୍ରାଙ୍କ ଆଶୀର୍ବାଦ ରହୁ ବୋଲି କାମନା କରିଛନ୍ତି । ସେହିପରି ଯେଉଁ ମହିଳାମାନେ ଲକ୍ଷପତି ଦିଦି ହୋଇସାରିଛନ୍ତି, ସେମାନେ ସ୍ୱୟଂ ସହାୟକ ଗୋଷ୍ଠୀରେ ଥିଲେ ସେମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରିବାକୁ ସରକାର ପ୍ରାଥମିକତା ଦେବେ ।
ସେହିପରି ଯେଉଁ ମହିଳାମାନେ ସୁଭଦ୍ରା ଟଙ୍କାରୁ ସଫଳତା ପାଇଛନ୍ତି, ସେମାନେ ମହିଳା ଓ ଶିଶୁ ବିକାଶ ବିଭାଗକୁ ଚିଠି ଲେଖିଲେ ସେହି ପ୍ରେରଣା କାହାଣୀକୁ ୱେବ୍ ସାଇଟରେ ସ୍ଥାନ ଦିଆଯିବ । ଫଳରେ ଅନ୍ୟମାନେ ପ୍ରେରିତ ହେବେ ।
ତେବେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ କୋରାପୁଟ ଜିଲ୍ଲା ଜୟପୁରରେ ସୁଭଦ୍ରା ତୃତୀୟ କିସ୍ତି ବଣ୍ଟାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋଟିଏ ସୁଭଦ୍ରା ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।