ଭୁବନେଶ୍ୱର: ଆଜି ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ଏକ ବଡ଼ ଦିନ । ଆଜିର ଦିନକୁ ଅର୍ଥାତ୍ ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଏହି ଦିନ ଜନ୍ମ ନେଇଥିଲା ଓଡ଼ିଶାର ପ୍ରଥମ ମୁଦ୍ରିତ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’। ୧୮୬୬ ମସିହା ଅଗଷ୍ଟ ୪ ତାରିଖ ଦିନ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ମିଳିତ ସହଯୋଗରେ ଏକ ସାପ୍ତାହିକ ଖବର କାଗଜ ଭାବେ ଉତ୍କଳ ଦୀପିକା ମୁଦ୍ରିତ ହୋଇଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ। ପ୍ରଥମେ ଏହା ସାପ୍ତାହିକ ଏବଂ ପରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା, ଯାହା ଓଡ଼ିଆ ସାମ୍ବାଦିକତା ଓ ଖବରକାଗଜ ପ୍ରକାଶନର ନୂଆ ଯୁଗ ଆରମ୍ଭ କରିଥିଲା। ତେଣୁ ପ୍ରତିବର୍ଷ ଅଗଷ୍ଟ ୪କୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି।
ଓଡ଼ିଆ ଭାଷାକୁ ସର୍ବସମ୍ମୁଖରେ ଉପସ୍ଥାପନ କରିବା ସହ ଓଡ଼ିଶାର ପ୍ରତିଟି ସୁଖ ଦୁଃଖକୁ ଲୋକଙ୍କ ନିକଟରେ ପହଞ୍ଚାଇବା କାମ କରିଥିଲା ଉତ୍କଳ ଦୀପିକା। ସେ ନ’ଅଙ୍କ ଦୁର୍ଭିକ୍ଷ ହେଉ କି ଓଡ଼ିଆ ଭାଷା ଆନ୍ଦୋଳନ, ପ୍ରତିଟି ଖବରକୁ ନିରପେକ୍ଷ ଭାବେ ପ୍ରଚାର ପ୍ରସାର କରିବା ଥିଲା ଉତ୍କଳ ଦୀପିକାର ମୁଖ୍ୟ ଲକ୍ଷ୍ୟ। ସମ୍ବାଦପତ୍ର ଜଗତରେ ଏକ ନୂଆ ଆହ୍ଵାନ ଥିଲା ଉତ୍କଳ ଦୀପିକା। ଗଣମାଧ୍ୟମ କିଭଳି ଭାବେ ଦାୟିତ୍ୱ ନେଇ ସମାଜକୁ ସୁଧାରିପାରେ ତାହା ଉତ୍କଳ ଦୀପିକା ହିଁ ପ୍ରଥମେ ଶିଖାଇଥିଲା।
ତେବେ ଦିନକୁ ଦିନ ଖବରକାଗଜର ପାଠକ ସଂଖ୍ୟା ବଢିବା ସହ ସାମ୍ବାଦିକତା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ବି ବଢ଼ୁଛି। ଓଡ଼ିଆ ସାମ୍ବାଦିକତାର ପରିସୀମା ବଢ଼ୁଥିବାରୁ ଏହାର ଭବିଷ୍ୟତ ଉଜ୍ଜ୍ୱଳମୟ ରହିଛି। ସାମ୍ବାଦିକତା କରି ନିଜ ଭବିଷ୍ୟତ ଗଢ଼ିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ସ୍ବତନ୍ତ୍ର ରୁଚି ରହୁଛି। ଆଧୁନିକ ଯୁଗରେ ଯେଉଁଠି ତଥ୍ୟ ଓ ଖବର ଅଗଣିତ ଭାବରେ ଚାଲୁଛି, ସେଠାରେ ଠିକ୍, ନିରପେକ୍ଷ ଓ ସତ୍ୟ ଖବର ପ୍ରଦାନ କରିବା ଜଣେ ସାମ୍ବାଦିକର ଦାୟିତ୍ୱ ହୋଇଯାଇଛି। ପୂର୍ବରୁ ଓଡ଼ିଆ ସାମ୍ବାଦିକତା ସମାଜର ଦର୍ପଣ ସାଜିବା ସହିତ ଶିକ୍ଷା, ସଂସ୍କାର ଓ ଜାଗରଣର ବାହକ ଥିଲା। ମାତ୍ର ଏବେ ସୋସିଆଲ ମିଡିଆ ଯୁଗରେ ଅନେକ ସମୟରେ ଖବର ଶସ୍ତା ମନୋରଞ୍ଜନ ଓ ନାଟକୀୟତାରେ ସୀମିତ ହୋଇପଡ଼ୁଛି।
ଗଣମାଧ୍ୟମ ଅନେକ ସମୟରେ ଦର୍ଶକ ଓ ପାଠକଙ୍କ ସଂଖ୍ୟା ଏବଂ ବ୍ୟବସାୟ ଚାପରେ ଭାଷାର ଶାଳୀନତା ତଥା ନୈତିକତା ହରାଉଛି। ରାଜନୈତିକ ଖବରକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ଓଡ଼ିଶାର ଗାଁ, କ୍ଷେତ, ସ୍କୁଲ ଆଦି ସମସ୍ୟାଗୁଡ଼ିକର ଖବର କେଉଁଠି ହଜିଯାଉଛି। ସେହିପରି ଓଡ଼ିଆ ସାମ୍ବାଦିକତା ଏବେ ସଙ୍କଟ ମୁଖରେ କିନ୍ତୁ ସାମ୍ବାଦିକଙ୍କ କଲମରେ ସମାଜକୁ ଆଲୋକିତ କରିବାର ଶକ୍ତି ଅଛି। ତେଣୁ ସତ୍ୟ, ନିରପେକ୍ଷ ଓ ସାମାଜିକ କଲ୍ୟାଣ ପାଇଁ ଏହାକୁ ଚାଳନା କରିବା ଦରକାର।