ଉତ୍ତରପ୍ରଦେଶର ପ୍ରୟାଗରାଜରେ ପ୍ରବଳ ବର୍ଷା ପରେ ଦେଖାଦେଇଛି ବନ୍ୟାସ୍ଥିତି। ପ୍ରବଳ ବର୍ଷା ଯୋଗୁଁ ଗଙ୍ଗା ଏବଂ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି। ଉଭୟ ନଦୀର ଜଳସ୍ତର ୨୦୧୩ ବର୍ଷର ରେକର୍ଡ ଭାଙ୍ଗିବାକୁ ପାଖାପାଖି ପହଞ୍ଚିଛି। ପ୍ରୟାଗରାଜରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ସେଠାରେ ରହୁଥିବା ଲକ୍ଷାଧିକ ଲୋକେ ପ୍ରଭାବିତ ହୋଇଛନ୍ତି। ଲୋକମାନେ ଘରଦ୍ୱାର ଛାଡି ବନ୍ୟା ରିଲିଫ୍ ଶିବିରରେ ରହିବା ଆରମ୍ଭ କରିଛନ୍ତି। ଗଙ୍ଗା ନଦୀ ଦାରାଗଞ୍ଜ, ଛୋଟା-ବଡ଼ା ବାଘାଡା, ସାଲୋରି, ନେଭାଡା, ଗଙ୍ଗାନଗର, ରସୁଲାବାଦ, ମେହଦୌରି ଏବଂ ରାଜାପୁରରେ ସର୍ବାଧିକ କ୍ଷୟକ୍ଷତି ଘଟାଇଛି। ଏଠାରେ ଅଧିକାଂଶ ଘରର ପ୍ରଥମ ମହଲା ପର୍ଯ୍ୟନ୍ତ ବନ୍ୟା ପାଣି ଭର୍ତ୍ତି ହୋଇଯାଇଛି।
ପ୍ରୟାଗରାଜରେ ଗତ ୫ ଦିନ ଧରି ଗଙ୍ଗା ଏବଂ ଯମୁନାରେ ବନ୍ୟା ଆସିବା ଯୋଗୁଁ ସହର ଏବଂ ଗ୍ରାମାଞ୍ଚଳର ପ୍ରାୟ ୧୫୦ଟି ଅଞ୍ଚଳ ପ୍ରଭାବିତ ହୋଇଛି। ଲୋକମାନଙ୍କୁ ଘରୁ ବହାରକୁ ଆସିବା ପାଇଁ ଡଙ୍ଗାର ସାହାର୍ଯ୍ୟ ନେବାକୁ ପଡ଼ୁଛି। ଏନଡିଆରଏଫ ଦଳ ପ୍ରତ୍ୟେକ ଗଳିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ, ଅନେକ ରାସ୍ତା ସହରରୁ ସମ୍ପୂର୍ଣ୍ଣ ବିଚ୍ଛେଦ ହୋଇଯାଇଛି। ବର୍ତ୍ତମାନ ଲୋକମାନଙ୍କୁ ସେମାନଙ୍କ ଘରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ପ୍ରୟାଗରାଜରେ ଅନେକ ଘର ଏମିତି ଅଛି, ଯେଉଁଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଜଳମଗ୍ନ ହୋଇଯାଇଛି। ରାସନ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ପାଇଁ ଲୋକମାନେ ଏନଡିଆରଏଫ ଦଳ ଉପରେ ନିର୍ଭର କରୁଛନ୍ତି। ଗଙ୍ଗାର ପାଣି ଗଳିଗୁଡ଼ିକରେ ଏତେ ମାଡ଼ିଯାଇଛି ଯେ, ପାଦରେ କିମ୍ବା ଗାଡ଼ିରେ ଯିବା ଅସମ୍ଭବ ହୋଇପଡ଼ିଛି। ଏପରିସ୍ଥିତିରେ ବର୍ତ୍ତମାନ ଡଙ୍ଗା ହିଁ ଲୋକମାନଙ୍କ ପାଇଁ ଏକମାତ୍ର ସାହାରା ପାଲଟିଛି।
ସହରର ୬୧ଟି ବସ୍ତି ଏବଂ ୨୭୫ଟି ଗାଁର ପାଞ୍ଚ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ପ୍ରାୟ ୮୦ ହଜାର ବନ୍ୟା ପୀଡିତ ବାସହୀନ ହୋଇଛନ୍ତି। ଜିଲ୍ଲାର ମୋଟ ୧୯ଟି ବନ୍ୟା ରିଲିଫ୍ ଶିବିରରେ ନଅ ହଜାରରୁ ଅଧିକ ପ୍ରଭାବିତ ଲୋକ ଆଶ୍ରୟ ନେଇଛନ୍ତି। ରିଲିଫ୍ କାର୍ଯ୍ୟ ପାଇଁ NDRF ଏବଂ SDRF ଏବଂ ଜଳ ପୋଲିସ ଏବଂ PAC ବନ୍ୟା ରିଲିଫ୍ ଦଳର ୬୦୦ ଜଣ ଯବାନଙ୍କୁ ନିୟୋଜିତ କରାଯାଇଛି। ପ୍ରାୟ ୨୫୦ ଡଙ୍ଗା ଏବଂ ୩୦ଟି ମୋଟର ଡଙ୍ଗା ଏବଂ ଷ୍ଟିମର ନିୟୋଜିତ କରାଯାଇଛି। କମିଶନର, DM, ADM, ସମସ୍ତ SDM ଏବଂ ତହସିଲଦାରମାନେ ମଧ୍ୟ ସକାଳଠାରୁ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛନ୍ତି।