ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି ମିଳିଛି । ସତେନ୍ଦ୍ରଙ୍କ ବିରୁଦ୍ଧରେ ଥିବା ଦୁର୍ନୀତି ମାମଲାରେ ଦିଲ୍ଲୀ କୋର୍ଟ ସବୁଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମାମଲାର ତଦନ୍ତ କରୁଥିବା ସିବିଆଇ କୌଣସି ଠୋସ୍ ପ୍ରମାଣ ଦେଇ ନ ପାରିବାରୁ ରାଉଜ ଏବେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ଡିଗ୍ ବିନୟ ସିଂହ ସିବିଆଇର ରିପୋର୍ଟ କ୍ଲୋଜର ରିପୋର୍ଟ ଭାବେ ଧରି ନେଇଛନ୍ତି ।
ଦୀର୍ଘ ଚାରି ବର୍ଷ ହେବ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଦୁର୍ନୀତି ମାମଲା ଜାରି ରହିଥିଲା । କୋର୍ଟ ଆଜି ଏହି ମାମଲାର ଶୁଣାଣି କରି ବନ୍ଦ କରିବାକୁ କହିଛନ୍ତି । ଅଦାଲତ କହିଛନ୍ତି, ଯେଉଁ ଅଭିଯୋଗ ଲଗାଯାଇଛି ଏବଂ ଯେଉଁ ତଥ୍ୟ ପ୍ରମାଣ ଦିଆଯାଇଛି, ତାହା ଆଗାମୀ କାର୍ଯ୍ୟପନ୍ଥା ପର୍ଯ୍ୟାପ୍ତ ନୁହେଁ । ସନ୍ଦେହ କେବେବି ପ୍ରମାଣର ସ୍ଥାନ ନେଇ ପାରିବ ନାହିଁ । କୌଣସି ବି ବ୍ୟକ୍ତିଙ୍କୁ ଅଭିଯୁକ୍ତ ଦର୍ଶାଇବା ପାଇଁ ସନ୍ଦେହ ଉପଯୁକ୍ତ ନୁହେଁ । କୋର୍ଟରେ ମାମଲା ବଢ଼ାଇବାକୁ ହେଲେ ଠୋସ୍ ପ୍ରମାଣର ଆବଶ୍ୟକ ଅଟେ ।
ତତ୍କାଳୀନ ଦିଲ୍ଲୀ ସରକାରଙ୍କ ସମୟରେ ସତ୍ୟେନ୍ଦ୍ର ଜୈନ ପବ୍ଲିକ୍ ୱାର୍କସ୍ ବିଭାଗ (PWD) ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ସମୟରେ, ଆଉଟସୋର୍ସିଂ ମାଧ୍ୟମରେ ପିଡବ୍ଲ୍ୟୁଡି ପାଇଁ ଏକ ୧୭ ଜଣିଆ ପରାମର୍ଶଦାତା ଦଳକୁ ନିଯୁକ୍ତିକୁ ଅନୁମୋଦନ କରିଥିଲେ । ଏଥିପାଇଁ ଆବଶ୍ୟକ ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ଏଡାଇ ଦେଇଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ଏକ ଅଭିଯୋଗ ଦାଖଲ କରିଥିଲା ଯାହା ଆଧାରରେ ଜୈନଙ୍କ ବିରୁଦ୍ଧରେ ମେ ୨୦୧୯ ରେ ଏକ FIR ରୁଜୁ କରାଯାଇଥିଲା। ସିବିଆଇ ଏହି ମାମଲାର ତଦନ୍ତ ଭାର ନେଇଥିଲା ।
ଦୀର୍ଘ ଚାରି ବର୍ଷର ତଦନ୍ତରେ ସିବିଆଇ ଜାଣିବାକୁ ପାଇଥିଲା ଯେ ବିଭାଗର ଜରୁରୀ ଆବଶ୍ୟକତା ଯୋଗୁଁ ବୃତ୍ତିଗତ ନିଯୁକ୍ତି ଆବଶ୍ୟକ ଏବଂ ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଏବଂ ପ୍ରତିଯୋଗିତାମୂଳକ ଥିଲା । ସଂସ୍ଥା କହିଛି ଯେ ଏହାକୁ ଦୁର୍ନୀତି, ଅପରାଧିକ ଷଡ଼ଯନ୍ତ୍ର, ଅନୁଚିତ ଲାଭ କିମ୍ବା ବ୍ୟକ୍ତିଗତ ଲାଭର କୌଣସି ପ୍ରମାଣ ମିଳିନାହିଁ । କ୍ଲୋଜର ରିପୋର୍ଟ ବିଚାର କରିବା ପରେ, କୋର୍ଟ ଏହାକୁ ଗ୍ରହଣ କରି ମାମଲା ବନ୍ଦ କରିଦେଇଛି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦି କାହା ବିରୁଦ୍ଧରେ କୌଣସି ନୂତନ ସାମଗ୍ରୀ ମିଳେ, ତେବେ ସିବିଆଇ ଏହି ମାମଲାର ଅଧିକ ତଦନ୍ତ କରିବାକୁ ମୁକ୍ତ ରହିବ।