ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରକୃତ ଭାରତୀୟ ହୋଇଥିଲେ ଏଭଳି ମନ୍ତବ୍ୟ ଦେଇ ନଥାଆନ୍ତ । ଆପଣଙ୍କୁ ଯାହା କହିବାର ଅଛି ସଂସଦରେ କାହିଁକି କହୁନହାଁନ୍ତି ? ଆପଣଙ୍କୁ ସାମାଜିକ ଗଣମାଧ୍ୟମରେ କାହିଁକି କହିବାର ଅଛି ? ଆଜି ରାହୁଲଙ୍କୁ ଏଭଳି ତୀକ୍ଷଣ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।
୨୦୨୩ରେ ‘ଭାରତ ଯୋଡ଼ ଯାତ୍ରା’ ସମୟରେ ରାହୁଲ ଗାନ୍ଧୀ ଭାରତୀୟ ସେନାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାର ସୋମବାର ଶୁଣାଣି ହୋଇଛି । ନ୍ୟାୟଧୀଶ ଦୀପାଙ୍କର ଦତ୍ତ ଏବଂ ନ୍ୟାୟଧୀଶ ଏଜି ମସୀହଙ୍କ ଖଣ୍ଡପୀଠ ମାନହାନି ଯାଚିକାର ଶୁଣାଣି କରି ରାହୁଲଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । କିନ୍ତୁ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି । ଶୁଣାଣି ଆରମ୍ଭରେ ରାହୁଲଙ୍କ ପକ୍ଷ ରଖୁଥିବା ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ବାଢ଼ିଥିଲେ ଯେ ଯଦି ଜଣେ ବିରୋଧୀଦଳ ନେତା ପ୍ରସଙ୍ଗ ଉଠାଇପାରିବେ ନାହିଁ ତାହା ହେଲେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ । ଯଦି ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ କହିପାରିବେ ନାହିଁ, ତେବେ ସିଏ ବିପକ୍ଷ ନେତା ହୋଇପାରିବେ ନାହିଁ ।
ବିଚାରପତି ଦୀପାଙ୍କର ଦତ୍ତା ସିଂଘବୀଙ୍କୁ ପାଲଟା ପ୍ରଶ୍ନ କରିଥିଲେ, ଆପଣଙ୍କୁ ଯାହା କହିବାର ଅଛି, ସଂସଦରେ କାହିଁକି କହୁ ନାହାଁନ୍ତି ? ଆପଣ ସାମାଜିକ ଗଣମାଧ୍ୟମରେ କାହିଁକି କହୁଛନ୍ତି ? ଆପଣଙ୍କୁ କେମିତି ଜଣାପଡ଼ିଲା ଯେ ଚୀନ ଭାରତର ୨୦୦୦ କିଲୋମିଟର୍ ପର୍ଯ୍ୟନ୍ତ ଜମିକୁ ହଡ଼ପ କରିନେଇଛି ? ଆପଣଙ୍କ ନିକଟରେ କୌଣସି ଠୋସ୍ ପ୍ରମାଣ ଅଛି କି ? ବିନା କୌଣସି ପ୍ରମାଣରେ ଏଭଳି ମନ୍ତବ୍ୟ ଦେଉଛନ୍ତି । ଯଦି ଆପଣ ପ୍ରକୃତ ଭାରତୀୟ ହୋଇ ଥାଆନ୍ତ ତାହା ହେଲେ ଏମିତି କହିନଥାଆନ୍ତେ ବୋଲି କହିଛନ୍ତି ନ୍ୟାୟାଧୀଶ ।
ସିଂଘଭି କହିଛନ୍ତି ଯେ ଆବେଦନକାରୀ ତାଙ୍କର ବୟାନକୁ ଆହୁରି ଭଲ ଭାବରେ ଉପସ୍ଥାପନ କରିପାରିଥାନ୍ତେ, ଏହି ଅଭିଯୋଗ କେବଳ ପ୍ରଶ୍ନ ଉଠାଇବାରୁ ତାଙ୍କୁ ହଇରାଣ କରିବାର ପ୍ରୟାସ, ତା ଛଡ଼ା ଆଉ କିଛି ନୁହେଁ । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ମାମଲାରେ ନିୟମ ପାଳନ କରାଯାଇ ନାହିଁ । ଯାହାର ଜବାବରେ ଜଷ୍ଟିସ୍ ଦତ୍ତା କହିଛନ୍ତି ଯେ ଏହି ପ୍ରସଙ୍ଗ ହାଇକୋର୍ଟ ସମ୍ମୁଖରେ ଉଠାଯାଇ ନାହିଁ । ସିଂଘଭି ସ୍ୱୀକାର କରିଛନ୍ତି ଯେ ଏହି ପ୍ରସଙ୍ଗ ଉଠାଇବାରେ ଭୁଲ ହୋଇଥିଲା । ସେ କହିଛନ୍ତି ଯେ ହାଇକୋର୍ଟରେ ଚ୍ୟାଲେଞ୍ଜ ମୁଖ୍ୟତଃ ଅଭିଯୋଗକାରୀଙ୍କ କ୍ଷେତ୍ରାଧିକାର ଉପରେ କେନ୍ଦ୍ରିତ ଥିଲା। ସିଂଘଭି ଏହା ମଧ୍ୟ କହିଛନ୍ତି, ରାହୁଲଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା ଦାୟର କରିବାର କୌଣସି ଆବଶ୍ୟକତା ନାହିଁ । ମାମଲାରେ ବିଚାର କରିବା ପୂର୍ବରୁ ତାଙ୍କୁ କୌଣସି ପ୍ରାକୃତିକ ନ୍ୟାୟ ଦିଆଯାଇ ନାହିଁ ।
'ଭାରତ ଯୋଡୋ ଯାତ୍ରା' ସମୟରେ, ଚୀନ୍ ସହିତ ସୀମା ବିବାଦକୁ ନେଇ ରାହୁଲ ଭାରତୀୟ ସେନା ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏ ନେଇ ରାହୁଲଙ୍କ ବିରୁଦ୍ଧରେ ମାନହାନୀ ମକଦ୍ଦମା ରୁଜୁ ହୋଇଥିଲା । ଆହ୍ଲାବାଦ ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାହୁଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାର ଏବଂ ଅଭିଯୋଗକାରୀଙ୍କୁ ନୋଟିସ ଜାରି କରିଛନ୍ତି । ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଏବଂ ନିମ୍ନ ଅଦାଲତରେ ମାନହାନି ମାମଲାର ପ୍ରକ୍ରିୟା ଉପରେ ସ୍ଥଗିତ ରଖିଛନ୍ତି । ଆସନ୍ତା ୩ ସପ୍ତାହ ପରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ।