ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କୁ ନେଇ ଯାଉଥିବା ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯାଉଥିବା ଏକ ଚାର୍ଟର ବିମାନ ଭୁଲବଶତଃ ଫାଲୋଡିରେ ଭୁଲ ରନୱେରେ ଅବତରଣ କରିଥିଲା। ଏହି ଘଟଣା ଗତ ଗୁରୁବାର ଘଟିଥିଲା, ଯେତେବେଳେ ଫାଲକନ୍ ୨୦୦୦ ନାମକ ଏହି ବିମାନଟି ଦିଲ୍ଲୀରୁ ଫାଲୋଡି ଅଭିମୁଖେ ଉଡ଼ାଣ କରିଥିଲା। ଏହି ବିମାନଟି ଫାଲୋଡି ବାୟୁସେନା ଷ୍ଟେସନରେ ଅବତରଣ କରିବାର ଥିଲା। କିନ୍ତୁ ପାଇଲଟମାନେ ଭୁଲବଶତଃ ସହରର ସିଭିଲ୍ ରନୱେରେ ବିମାନଟିକୁ ଅବତରଣ କରିଥିଲେ।
ପାଇଲଟମାନେ ଏହି ଭୁଲ ଅନୁଭବ କରିବା ମାତ୍ରେ, ସେମାନେ ତୁରନ୍ତ ଫାଲୋଡିର ଭାରତୀୟ ବାୟୁସେନା ଷ୍ଟେସନରେ ବିମାନଟିକୁ ଅବତରଣ କରିଥିଲେ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ପାଇଲଟମାନଙ୍କୁ ଉଡ଼ାଣରୁ ହଟାଇ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ୩୧ ଜୁଲାଇ ଅପରାହ୍ନ ୩ଟାରେ ଦିଲ୍ଲୀରୁ ଫାଲୋଡି ଅଭିମୁଖେ ଯାତ୍ରା କରିଥିଲେ। ବିମାନଟି ପ୍ରଥମେ ସିଭିଲ୍ ରନୱେରେ ଅବତରଣ କରିଥିଲା, ଯାହା ଠିକ୍ ହୋଇନଥିଲା। ପାଇଲଟମାନେ ତୁରନ୍ତ ସେମାନଙ୍କର ଭୁଲ ସଂଶୋଧନ କରି ବିମାନକୁ ଉଡ଼ାଣ କରିଥିଲେ ଏବଂ ପ୍ରାୟ ୫ କିଲୋମିଟର ଦୂରରେ ଥିବା ଫାଲୋଡି ବାୟୁସେନା ଷ୍ଟେସନରେ ଅବତରଣ କରିଥିଲେ। ଚାର୍ଟର କମ୍ପାନୀ ନିଜେ ଡିଜିସିଏକୁ ଏହି ‘ଭୁଲ୍ ଅବତରଣ’ ବିଷୟରେ ଜଣାଇଥିଲେ। ଫାଲୋଡିର ସିଭିଲ୍ ଏୟାରଷ୍ଟ୍ରିପ୍ ଏବଂ ବାୟୁସେନା ଷ୍ଟେସନ ପ୍ରାୟ ୫ କିମିର ଦୂରତାରେ ଅବସ୍ଥିତ ଏବଂ ଉଭୟର ଭୌଗୋଳିକ ସ୍ଥିତି ଏବଂ ରନୱେ ଗଠନ ପ୍ରାୟ ସମାନ।
ଅଧିକ ପଢ଼ନ୍ତୁ: ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସମର୍ଥନ ଘୋଷଣା କଲା ପାକିସ୍ତାନ!