ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି । କାରଣ ଦିଲ୍ଲୀରେ ଏବେ ଅପରାଧର ତାଲିକା କ୍ରମଶଃ ବଢିଚାଲିଛି । ସୋମବାର ସକାଳେ ପ୍ରାତ ଭମଣରେ ଯିବା ସମୟରେ ଜଣେ ମହିଳା ସାଂସଦଙ୍କ ବେକରୁ ଚେନ୍ ଝାମ୍ପିନେଇଛନ୍ତି ଲୁଟେରା । ଘଟଣାଟି ଘଟିଛି ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଯେଉଁଠି ଉଚ୍ଚସ୍ତରୀୟ ସୁରକ୍ଷା ବଳୟ ସର୍ବଦା ମୁତୟନ ହୋଇଥାଏ । ଲୁଟର ଶିକାର ହୋଇଛନ୍ତି ସାଂସଦ ସୁଧା ରାମକୃଷ୍ଣନ, ସେ ହେଉଛନ୍ତି ତାମିଲନାଡୁର ଲୋକସଭା ସାଂସଦ।
ଲୁଟର ଶିକାର ହେବା ପରେ ସେ ଗୃହମନ୍ତ୍ରୀ ଅମିତଶାହଙ୍କୁ ଏନେଇ ଚିଠି ଲେଖିଛନ୍ତି । ସାଂସଦଙ୍କ କହିବା ମୁତାବିକ, ‘ମୁଁ ମୋର ସାଥୀ ସାଂସଦଙ୍କ ସହିତ ଚାଣକ୍ୟପୁରୀ ଅଞ୍ଚଳରେ ପ୍ରାତଃ ଭ୍ରମଣରେ ବାହାରିଥିଲି। ଏହି ସମୟରେ ମୋର ବିପରୀତ ଦିଗରୁ ଜଣେ ସ୍କୁଟି ଚାଳକ ହଠାତ ଆସି ମୋ ବେକରୁ ସୁନା ଚେନ ଛିଣ୍ଡାଇ ଘଟଣାସ୍ଥଳରେ ଚମ୍ପଟ ମାରିଥିଲା। ସେ ହେଲମେଟ ପିନ୍ଧିଥିବାରୁ ତାର ମୁହଁ ନଜର ଆସି ନଥିଲା। ଏହି ଘଟଣାରେ ମୋ ବେକରେ ଆଘାତ ଲାଗିଛି।’
ଅଭିଯୁକ୍ତ ଜଣକ ହେଲମେଟରେ ମୁହଁ ଲୁଚାଇ ରଖିଥିଲେ
ପୋଲିସରେ ଦାଖଲ ହୋଇଥିବା ଅଭିଯୋଗ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପଠାଯାଇଥିବା ଚିଠିରେ ସାଂସଦ ଲେଖିଛନ୍ତି ଯେ ଯୁବକଙ୍କ ମୁହଁ ସମ୍ପୂର୍ଣ୍ଣ ହେଲମେଟରେ ଘୋଡ଼ାଯାଇଥିଲା, ତେଣୁ ସନ୍ଦେହ କରିବାର କୌଣସି ସମ୍ଭାବନା ନଥିଲା। ସେ ସ୍କୁଟି ଧୀରେ ଚଳାଉଥିଲେ, ତେଣୁ ପ୍ରଥମେ ମନେ ହେଉଥିଲା ଯେ ସେ ଜଣେ ସାଧାରଣ ବ୍ୟକ୍ତି। କିନ୍ତୁ ହଠାତ୍ ସେ ଝାମ୍ପି ପଡ଼ି ଚେନ୍ ଛିଣ୍ଡାଇ ନେଲେ।
ଚେନ୍ ଛିଣ୍ଡାଇବା ବେଳେ ସାଂସଦ ଆହତ
ଚେନ୍ ଛିଣ୍ଡାଇବା ସମୟରେ ସୁଧା ରାମକୃଷ୍ଣନଙ୍କ ବେକରେ ଆଘାତ ଲାଗିଥିଲା ଏବଂ ତାଙ୍କ କୁର୍ତ୍ତା ଚିରି ଯାଇଥିଲା। ସେ କହିଥିଲେ, "କିଛି ପ୍ରକାରେ ମୁଁ ନିଜକୁ ସମ୍ଭାଳି ପାରିଲି ଏବଂ ତଳେ ପଡ଼ିବାରୁ ବଞ୍ଚିଗଲି। ଆମେ ଦୁହେଁ ଜୋରରେ ଚିତ୍କାର କରିଥିଲୁ, କିନ୍ତୁ ସେତେବେଳକୁ ଅଭିଯୁକ୍ତମାନେ ପଳାଇ ଯାଇଥିଲେ।"
ପୋଲିସ ଅଭିଯୋଗ, ତଦନ୍ତ ଚାଲିଛି
ସାଂସଦ ତୁରନ୍ତ ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ଏବଂ ଏକ ଏଫଆଇଆର ରୁଜୁ କରାଯାଇଛି। ବର୍ତ୍ତମାନ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଏହି ଅଞ୍ଚଳଟି ପୋଲାଣ୍ଡ ଦୂତାବାସର ଗେଟ-୩ ଏବଂ ଗେଟ-୪ ନିକଟରେ ଘଟିଛି, ତେବେ ପ୍ରଶ୍ନ ଉଠୁଛି, ଏତେ ସୁରକ୍ଷାବଳୟ ଭିତରେ ଯଦି ଜଣେ ସାଂସଦଙ୍କ ସହ ଏପରି ଘଟଣା ଘଟିପାରେ, ତେବେ ସାଧାରଣ ଲୋକ କେତେ ସୁରକ୍ଷିତ?
ଗୃହମନ୍ତ୍ରୀଙ୍କୁ ପଠାଯାଇଥିବା ଚିଠି
ମାମଲାର ଗମ୍ଭୀରତା ଦେଖି ସୁଧା ରାମକୃଷ୍ଣନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖି ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି ଯେ ସାଂସଦମାନେ ମଧ୍ୟ ରାଜଧାନୀରେ ସୁରକ୍ଷିତ ନୁହଁନ୍ତି, ଏହା ବହୁତ ଚିନ୍ତାଜନକ।