ଜୁଆ ଆଡ୍ଡ଼ା ଚଢ଼ଉ ବେଳେ ଅଭାବନୀୟ କାଣ୍ଡ। ପେଟ୍ରୋଲିଂ କଲା ବେଳେ ମହିଳା IICଙ୍କୁ ଜୋର ଜବରଦସ୍ତ ଦୋକାନ ଘରେ ବନ୍ଦ କରି ନିର୍ଘାତ ମାଡ଼ ମାରିବା ଘଟଣାରେ ୨୦ ଜଣକୁ ଅଟକ ରଖିଛି ପୋଲିସ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ସାହାବାଜିପୁର ପଞ୍ଚାୟତର ଉଦୟପୁର ଗାଁରେ। ମହିଳା ଥାନାଧିକାରୀଙ୍କୁ ଏକ ଦୋକାନ ଘର ଭିତରେ ଅଟକ ରଖିବା ସହ, ପୋଲିସ ଗାଡ଼ିର ଡ୍ରାଇଭରଙ୍କୁ ଆକ୍ରମଣ ଘଟଣାରେ ମେରାଇନ ପୋଲିସ ୨୦ ଜଣଙ୍କୁ ଅଟକ ରଖି ତଦନ୍ତ ଚଳେଇଛି।
ସୂଚନାଯୋଗ୍ୟଯେ, ତାଳସାରୀ ସାମୁଦ୍ରିକ ଥାନା IIC ଚମ୍ପାବତୀ ସୋରେନ, ଗତ ରବିବାର ପ୍ରାୟ ରାତି ୧୦ଟା ବେଳେ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ପେଟ୍ରୋଲିଂରେ ବାହାରିଥିବା ସମୟରେ ଉଦୟପୁର ଗାଁର ଏକ ଦୋକାନ ଖୋଲା ଥିଲା। ତେବେ ଉକ୍ତ ସ୍ଥାନରେ ଜୁଆ ଖେଳ ଚାଲିଥିବା ସନ୍ଦେହରେ ତାକୁ ବନ୍ଦ କରିବାରୁ ଏହି ସମୟରେ ଅଚାନକ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଜୋରଜବରଦସ୍ତ ନେଇ ଦୋକାନ ଘରେ ଭର୍ତ୍ତି କରିଦେଇଥିଲେ। ଥାନାର ଗାଡ଼ି ଚାଳକ ସୁଧାଂଶୁ ମହାନ୍ତି ଏହାକୁ ବିରୋଧ କରିବାରୁ, ସେମାନେ ତାଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି।ଏହି ଖବର ପାଇବା ପରେ ଚନ୍ଦନେଶ୍ୱର ଫାଣ୍ଡି ଓ ଭୋଗରାଇ ଥାନା ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଏହି ଘଟଣାରେ ସମ୍ପୃକ୍ତ୨୦ ଜଣଙ୍କୁ ମେରାଇନ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି। ଏହି ଘଟଣା ପାଇଁ ଜଳେଶ୍ୱରରୁ ଏକ ପ୍ଲାଟୁନ ପୋଲିସ ଘଟଣା ସ୍ଥଳରେ ମୁତୟନ କରାଯାଇଛି। ଏହି ଘଟଣାରେ ଉଦୟପୁର ଗାଁ ଏକପ୍ରକାର ଜନଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ: ଧାରଣାରେ ଶିକ୍ଷକ; ମାଟ୍ରିକ ପରୀକ୍ଷାର୍ଥୀ ଚିନ୍ତାରେ