ଫେବୃଆରୀ ୨୦ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ତତ୍ପର ଥିବା ବେଳେ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ବି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଗୋଟିଏ ପଟେ ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଥିବା ବେଳେ ଅନ୍ୟପଟେ ରାଜରାସ୍ତାରେ ମାଧ୍ୟମିକ ସ୍କୁଲ ଶିକ୍ଷକଙ୍କ ଧାରଣା ଦେଖିବାକୁ ମିଳିଛି।
ସମଗ୍ର ରାଜ୍ୟର ମାଧ୍ୟମିକ ସ୍କୁଲ ଶିକ୍ଷକ ଦୀର୍ଘ ୧୨ ଦିନ ହେଲା ଭୁବନେଶ୍ଵର ଗାନ୍ଧୀ ମାର୍ଗରେ ଦାବି ପୂରଣ ପାଇଁ ଅହୋରାତ୍ର ଧାରଣା ଦେଉଛନ୍ତି। ଦାବି ପୂରଣ ନ ହେଲେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି ଶିକ୍ଷକମାନେ। ତେବେ ଏପରି ହେଲେ ପରୀକ୍ଷା ପରିଚାଳନା ଠା ରୁ ଖାତା ଦେଖିବା ଯାଏ ସମସ୍ୟା ଉପଜିବାର ଆଶଙ୍କା କରିଛନ୍ତି ଶିକ୍ଷାବିତ ଓ ଅଭିଭାବକ ।
ସୂଚନାଯୋଗ୍ୟ ଯେ, ୧୨ ଦିନ ହେଲା ୨୧ ଦଫା ଦାବିରେ ଓଡ଼ିଶା ମାଧ୍ଯମିକ ଶିକ୍ଷକ ସଂଘ ଅର୍ଥାତ ଓଷ୍ଟା ପକ୍ଷରୁ ଲୋୟର ପିଏମଜିରେ ଧାରଣା ଦିଆଯାଇଛି। ଓଡ଼ିଶାର ୨୩୪ଟି ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ, ୨୨୬ ଓ ୩୯୯ ସ୍କୁଲ୍କୁ ସପ୍ତମ ବେତନ କମିଶନ ହାରରେ ଦରମା, ୬୦୮ ପୂର୍ଣଅନୁଦାନ ସ୍କଲୁକୁ ସରକାରୀକରଣ, ଅବସର ବୟସ ସୀମା ୬୦ରୁ ୬୨, ଗ୍ରେଡପେରେ ଥିବା ଅସଙ୍ଗତି ଦୂର, ୨୦୦୪ରୂ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକଙ୍କୁ ୬ଟି ନାସନାଲ ଇନକ୍ରିମେଣ୍ଟ ପ୍ରଦାନ ଦାବିରେ ସଂଘ ୧୨ ଦିନ ଧରି ଆନ୍ଦୋଳନ କରୁଥିବା ବେଳେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଶିକ୍ଷକ ମାନେ କହିଛନ୍ତି। ତେବେ ଏହା ସିଧାସଳଖ ପରୀକ୍ଷାର୍ଥୀଙ୍କ ଉପରେ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି।
ଅଧିକ ପଢନ୍ତୁ: ଷ୍ଟ୍ରିଟ କ୍ରାଇମରେ ଲାଗିବ ରୋକ୍, ଜାରି ହେଲା ହେଲ୍ପଲାଇନ ନମ୍ବର