ଗଳିକନ୍ଦିରେ ଅସାମାଜିକ କାର୍ଯ୍ୟ ଉପରେ ରୋକ ଲଗାଯିବା ପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି। ଏଥିପାଇଁ ରବିବାର ଦିନ ଜାରି ହୋଇଛି ଷ୍ଟ୍ରିଟ କ୍ରାଇମ ପ୍ରିଭେନସନ ଏଣ୍ଡ ଡିଟେକ୍ସନ ୟୁନିଟର ହେଲ୍ପ ଲାଇନ ନମ୍ବର। ଏହି ପଦକ୍ଷେପ ଦ୍ୱାରା ସହରରେ ହେଉଥିବା ଅସାମଜିକ କାର୍ଯ୍ୟ ଉପରେ ଅଙ୍କୁଶ ଲାଗି ପାରିବ ବୋଲି କହିଛନ୍ତି କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର।
ବିଭିନ୍ନ ଅସାମାଜିକ ଯଥା ଛିନତାଇ, ରାସ୍ତା ଉପରେ ଗୁଣ୍ଡାଗର୍ଦ୍ଦି ତଥା ପବ୍ଲିକ ପ୍ଲେସରେ ମଦ୍ୟପାନ କରିବା ଭଳି କାର୍ଯ୍ୟକୁ ରୋକିବା ପାଇଁ ଏପରି କରାଯାଇଛି। ଏଥି ପାଇଁ ୭୯୭୮୮୯୪୪୦୫ ନମ୍ବର ଜାରି କରିଛି କଟକ କମିଶନରେଟ ପୋଲିସ । ମଡର୍ଣ୍ଣ କଣ୍ଟ୍ରୋଲ ରୁମରେ ୧୧୨ ନମ୍ବର ଛଡା ଏହି ନମ୍ବର ମଧ୍ୟ କାର୍ଯ୍ୟକ୍ଷମ ରହିବ। ଏହି ନମ୍ବର ଦିନରାତି କାର୍ଯ୍ୟକ୍ଷମ ରହିବ। କୌଣସି ଅଭିଯୋଗକାରୀ କଲ କଲେ ୧୫ ମିନିଟ ମଧ୍ୟରେ ଯୋଗାଯୋଗ କରିବ ପୋଲିସ କଣ୍ଟ୍ରୋଲ ରୁମ। କଲ କରିଥିବା ବ୍ୟକ୍ତିଙ୍କର ପରିଚୟ ଗୋପନ ରଖାଯିବ। ଏହି ନମ୍ବରରେ ମଧ୍ୟ ହ୍ବାଟସଆପ୍ ଦ୍ବାରା ମେସେଜ କରିବାର ବ୍ୟବସ୍ଥା ରହିବ । ଅଭିଯୋଗ ପରେ ଉକ୍ତ ଘଟଣାର ଯାଞ୍ଚ କରି ପୋଲିସ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହି କଣ୍ଟ୍ରୋଲ ରୁମ ସିଧା ସଳଖ କଟକ ଡିସିପିଙ୍କ ତତ୍ତ୍ଵାବଧାନରେରେ ରହିବ। ବିଭିନ୍ନ ଅସାମାଜିକ କାର୍ଯ୍ୟକୁ ଲୋକ ମାନେ କଲ ଜରିଆରେ ଜଣାଇବା ଦ୍ୱାରା ତତକ୍ଷଣାତ୍ ଉକ୍ତ ସ୍ଥାନରେ ପୋଲିସର ମୋବାଇଲ ପାଟ୍ରୋଲିଂ ଭ୍ୟାନ ପହଞ୍ଚିବ ଏବଂ ପ୍ରତି ୨୪ ଘଣ୍ଟାର କଲ୍ ଡିଟେଲର ରିଭ୍ୟୁ କରାଯିବ। କୌଣସି ପ୍ରକାର ଆକ୍ସନ ନେଇ ନଥିବା ପୋଲିସ ଅଧିକାରୀ ମାନଙ୍କ ଉପରେ ମଧ୍ୟ ତ୍ବରିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ବର୍ତ୍ତମାନ ପାଇଁ ଏହି ନମ୍ବର କେବଳ କଟକରେ ଲାଗୁ ହୋଇଛି। ଏହି ଅବସରରେ ଚୋର, ଲୁଟେରା, ମଦୁଆଙ୍କ ଉତ୍ପାତ ଉପରେ ରୋକ ଲଗାଇବା ପାଇଁ ଜନତା ମଧ୍ୟ ପୋଲିସକୁ ସହାୟତା କରିବ ଯାହାଦ୍ବାରା ଏକ ସୁସ୍ଥ ସମାଜ ଗଠନ କରାଯିବ ବୋଲି କହିଛନ୍ତି କଟକର ଅତିରିକ୍ତ ଡିସିପି ଅନିଲ ମିଶ୍ର।
ଅଧିକ ପଢନ୍ତୁ: ମୋଦିଙ୍କ ମନ୍ତ୍ର : ଅବ୍ କି ବାର୍ ୪୦୦ ପାର୍