ଭୁବନେଶ୍ୱର: କ୍ୟାଲେଣ୍ଡରୁ ଯାଇନି ମାଘ, ହେଲେ ଚାଲିଗଲା ଶୀତ । ରାଜ୍ୟରେ ଏଇ କିଛି ଦିନ ହେବ ଶୀତ ଗାଏବ ହୋଇଯାଇଛି । ଫେବୃୟାରୀ ମାସ ଆରମ୍ଭରୁ ପାରଦ ଉପରମୁହାଁ ହେବାରେ ଲାଗିଛି । ଦିନର ତ୍ରାପାମତ୍ରା ୩୫ଡିଗ୍ରୀରେ ପହଞ୍ଚିଛି । ଯେଉଁ କାରଣରୁ ଫେବୃୟାରୀ ମାସରେ ଏବେ ଗ୍ରୀଷ୍ମ ଭଳି ଅନୁଭବ ହେଉଛି ।
ଦିନରେ ଟାଇଁଟାଇଁ ଖରା ହୋଇଥିବାବେଳେ ରାତି ତାପମାତ୍ରାରେ ବି ଯଥେଷ୍ଟ ବୃଦ୍ଧି ଘଟିଛି । ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଦିନକରେ ତାପମାତ୍ରା ୩ ଡିଗ୍ରୀରୁ ଅଧିକ ବଢ଼ିଛି । ଶନିବାର ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡା ୩୫.୨ ଡିଗ୍ରୀ, ବଲାଙ୍ଗୀର ୩୫ ଡିଗ୍ରୀ, ସମ୍ବଲପୁର ୩୪.୭ ଡିଗ୍ରୀ, ହୀରାକୁଦ ୩୪.୭ ଡିଗ୍ରୀ, ଭବାନୀପାଟଣାରେ ୩୪ ଡିଗ୍ରୀ ସେଲ୍ସିୟସ ରହିଥିଲା । ସେହିଭଳି ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଛି ।
ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ କୁହୁଡି ଜାରି ରହିଛି । ଘନକୁହୁଡ଼ି ଜନଜୀବନକୁ ପ୍ରଭାବିତ କରିଛି । ଆସନ୍ତା ୨ଦିନ ଘନକୁହୁଡ଼ି ଜାରି ରହିବ । ସେନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୭ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି