ଭୁବନେଶ୍ୱର: ବଦଳିଲା ବର୍ଣ୍ଣବୋଧ ପୁସ୍ତକର ରୂପରେଖ । ନୂଆରୁପରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାର ନାଁ ରହିଛି ମଧୁ ବର୍ଣ୍ଣବୋଧ । ଏଥିସହିତ ବର୍ଣ୍ଣବୋଧ ଡିଜିଟାଲ ସଂସ୍ମରଣକୁ ମଧ୍ୟ ଲୋର୍କାପିତ କରାଯାଇଛି । ଭକ୍ତକବି ମଧୁସୂଚନ ରାଓଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କ ରଚିତ ମଧୁ ବର୍ଣ୍ଣବୋଧର ଅବିକଳ ଲୋଭନ ସଂସ୍କରଣ ପୁସ୍ତକର ଲୋର୍କାପଣ ହୋଇଛି । ଚଳିତ ଏଥିପାଇଁ ଛପାଯିବ ୧୦ ହଜାର ପୁସ୍ତକ ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ‘ଆଜି ସରସ୍ଵତୀ ପୁତ୍ର ମଧୁସୂଦନ ରାଓଙ୍କ ପୁଣ୍ୟ ଜନ୍ମତିଥି । ୧୮୫୩ ମସିହାର ପବିତ୍ର ଶ୍ରୀପଞ୍ଚମୀ ଦିନ ସେ ଜନ୍ମ ଗ୍ରହଣ କରିଥିଲେ। ଏହି ଅବସରରେ ବର୍ଣ୍ଣବୋଧ ନୂତନ ଭାବରେ ପ୍ରକାଶିତ ହେବା ତାଙ୍କ ପ୍ରତି ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।‘ ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ବର୍ଣ୍ଣବୋଧର ଭାଷା ଥିଲା ଅତ୍ୟନ୍ତ ସହଜ ଓ ସରଳ। ପଶୁ, ପକ୍ଷୀ, ସକାଳ, ସନ୍ଧ୍ୟା, ଆଖପାଖର ଦୃଶ୍ୟ ଭଳି ସହଜ ଉଦାହରଣ ସବୁ ଦେଇ, ସେ କୋମଳ ମନକୁ ଆକର୍ଷିତ କରିଥିଲେ । ଏହି ବହିଟି ଅତି କମ୍ ଦିନରେ ପ୍ରତ୍ୟେକ ଓଡ଼ିଆ ପରିବାରର ଅଂଶ ପାଲଟିଗଲା । ୧୮୯୫ ରେ ବହିଟି ପ୍ରଥମେ ପ୍ରକାଶିତ ହୋଇଥିଲା । ଏହାର ଲୋକପ୍ରିୟତା ଏହି କଥାରୁ ଅନୁମେୟ ଯେ ୧୮୯୫ ରୁ ୧୯୦୧ ଭିତରେ ବହିର ଆଠଟି ସଂସ୍କରଣ ହୋଇ ସାରିଥିଲା । ଏହାକୁ ଆହୁରି ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ଵାରା ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣ ପ୍ରକାଶ କରିବା ଅତ୍ୟନ୍ତ ଆନନ୍ଦର ବିଷୟ । ମୂଳ ଲେଖାକୁ ପରିବର୍ତ୍ତିତ ନ କରି ଅବିକଳ ଛାପିବା ଦ୍ଵାରା ଏହାର ଭାବ, ଭାଷାକୁ ସମ୍ମାନ ଦିଆଯାଇଛି । ମୁଁ ଆଶା କରୁଛି, ଆମର କୁନି କୁନି ପିଲାମାନଙ୍କୁ ଏହି ପୁସ୍ତକ ଖୁବ୍ ଭଲ ଲାଗିବ। ଓଡ଼ିଆ ଭାଷାକୁ ସହଜରେ ଶିଖିବା ପାଇଁ ଏହା ସେମାନଙ୍କ ପକ୍ଷରେ ସହାୟକ ହେବ ।‘