ନୂଆଦିଲ୍ଲୀ: ବହୁ ହଙ୍ଗାମା ଏବଂ ବିରୋଧ ପରେ ୱାକଫ ସଂଶୋଧନ ବିଲ୍ ଉପରେ ବସିଥିବା ଯୁଗ୍ମ ସଂସଦୀୟ କମିଟିର ବୈଠକ ଶେଷ ହୋଇଛି । ଏନଡିଏ ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତାବିତ ସମସ୍ତ ୧୪ଟି ସଂଶୋଧନକୁ ସୋମବାର ସଂସଦୀୟ କମିଟି ଗ୍ରହଣ କରିଛି । ଅନ୍ୟ ପକ୍ଷରେ ବିରୋଧୀ ସଦସ୍ୟମାନଙ୍କ ଦ୍ୱାରା ଆଗତ ପ୍ରତ୍ୟେକ ପରିବର୍ତ୍ତନକୁ ପ୍ରତ୍ୟାଖ୍ୟାନ କରାଯାଇଛି ।
କମିଟି ଦ୍ୱାରା ଗୃହୀତ ସଂଶୋଧନ ଆଇନକୁ ଉନ୍ନତ ଏବଂ ପ୍ରଭାବଶାଳୀ କରିବ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ । ବିରୋଧୀ ସାଂସଦମାନେ ବୈଠକର କାର୍ଯ୍ୟଧାରାକୁ ନିନ୍ଦା କରିବା ସହିତ ପାଲଙ୍କ ଉପରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ "ବିକୃତ" କରିବାର ଅଭିଯୋଗ ଲଗାଇଛନ୍ତି । ଜଗଦମ୍ବିକା ପାଲ ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସମଗ୍ର ପ୍ରକ୍ରିୟା ଗଣତାନ୍ତ୍ରିକ ଥିଲା ଏବଂ ସଂଖ୍ୟାଗରିଷ୍ଠଙ୍କ ମତ ଅକ୍ଷୁର୍ଣ୍ଣ ରହିଛି । ସେ କହିଥିଲେ, "ଆଜି ଏକ ଧାରା-ବାଏ-ଧାରା ବୈଠକ ଥିଲା । ବିରୋଧୀ ସଦସ୍ୟମାନେ ୪୪ ଟି ଧାରା ଉପରେ ସଂଶୋଧନ ଆଣିଥିଲେ । ମୁଁ ସଦସ୍ୟମାନଙ୍କୁ ପଚାରିଲି ଯେ ସେମାନେ ସଂଶୋଧନ ଆଗତ କରୁଛନ୍ତି କି ? ସେମାନେ କହିଥିଲେ ଯେ ସଂଶୋଧନ ଆଗତ କରିବେ । ଏହାଠାରୁ ଅଧିକ ଗଣତାନ୍ତ୍ରିକ କିଛି ହୋଇ ପାରିବ ନାହିଁ । ଆଜି ଯେଉଁ ପ୍ରକାରର ସଂଶୋଧନ ଗୃହୀତ ହୋଇଛି, ଏହା ଦ୍ୱାରା ଏକ ଭଲ ବିଧେୟକ ପାରିତ ହେବ ବୋଲି ମୁଁ ଭାବୁଛି ।"
ଅଧ୍ୟକ୍ଷ ଆହୁରି କହିଛନ୍ତି, ବିଲର ୧୪ଟି ସଂଶୋଧନକୁ ଏନଡିଏ ସଦସ୍ୟମାନଙ୍କ ଦ୍ୱାରା ଆଗତ କରାଯାଇଥିବାବେଳେ ଗୃହୀତ ହୋଇଥିଲା । ସେହିପରି ବିରୋଧୀ ସଦସ୍ୟମାନେ ୪୪ଟିରେ ଶହ ଶହ ସଂଶୋଧନ ଆଣିଥିଲେ ଏବଂ ସମସ୍ତ ସଂଶୋଧନ ଭୋଟରେ ପ୍ରତ୍ୟାଖ୍ୟାନ ହୋଇଥିଲା । କମିଟି ଦ୍ୱାରା ପ୍ରସ୍ତାବିତ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ହେଉଛି ଯେ 'ଉପଭୋକ୍ତା ଦ୍ୱାରା ୱାକଫ' ଆଧାରରେ ବିଦ୍ୟମାନ ୱାକଫ ସମ୍ପତ୍ତି ଉପରେ ପ୍ରଶ୍ନ ଉଠାଯାଇପାରିବ ନାହିଁ, ଯାହା ବର୍ତ୍ତମାନର ଆଇନରେ ଥିଲା ।
କମିଟିର ରିପୋର୍ଟକୁ ଲୋକସଭା ବାଚସ୍ପତିଙ୍କ ନିକଟରେ ଉପସ୍ଥାପିତ କରାଯିବ । ତେବେ ଆଗାମୀ ବଜେଟ୍ ଅଧିବେଶନରେ ୱାକଫ୍ ସଂଶୋଧିତ ବିଲ ପାରିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।