ଭୁବନ: ଭାରତର ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହିଦ ବାଜି ରାଉତଙ୍କ ଗାଁ ଏବେବି ଅବହେଳିତ ଅବସ୍ଥାରେ ରହିଛି । ତାଙ୍କ ଜନ୍ମ ମାଟି ଢେଙ୍କାନାଳ ଜିଲ୍ଲା ଭୁବନ ନିଳକଣ୍ଠପୁରରେ ବାଜି ରାଉତଙ୍କ ବିରତ୍ୱ ବଳିଦାନ ଓ ସାହସିକତାକୁ ସମ୍ମାନ ଜଣାଇ ଯେଉଁ ପଦକ୍ଷେପ ନିଆଯାଇଛି ତାହା ସମୁଦ୍ରକୁ ଶଙ୍ଖେ । ପ୍ରଶାସନ କେବଳ ଗୋଟିଏ ସ୍ମୃତି ସ୍ତମ୍ଭ ଓ ପିଣ୍ଡି କରି ଦାୟିତ୍ୱ ସାରି ଦେଇଛି । କିନ୍ତୁ ଏବେବି ଅନେକ କାର୍ଯ୍ୟ ଅଧୁରା ରହିଛି । ନିକଟରେ ନିଳକଣ୍ଠପୁର ଗ୍ରାମକୁ ବରପୂତ୍ର ଐତିହ ଆଦର୍ଶ ଗ୍ରାମ ଯୋଜନାରେ ସାମିଲ କରାଯିବା ପରେ ନିଳକଣ୍ଠପୁରର ବିକାଶ ନେଇ ପୁଣି ଆଶା ଉଜ୍ଜିବିତ ହୋଇଛି ।
ଦେଶ ସ୍ୱାଧୀନ ହେବାର ୭୭ ବର୍ଷ ପରେ ମଧ୍ୟ ବୀରମାଟିର ଗାଁ ଏବେବି ଅବହେଳିତ ଅବସ୍ଥାରେ ରହିଛି । ବାଜି ରାଉତଙ୍କ ବିରତ୍ୱର ଗାଥାକୁ ଚିର ସ୍ମରଣୀୟ କରି ରଖିବାକୁ ପ୍ରଶାସନ ପକ୍ଷରୁ ସେଭଳି କୌଣସି ଆଖି ଦୃଶିଆ ପଦକ୍ଷେପ ନିଆ ଯାଇନାହିଁ। ପୂର୍ବରୁ ବାଜି ରାଉତଙ୍କ ଘର ଥିବା ସ୍ଥାନଟିକୁ ପ୍ରଶାସନ ପକ୍ଷରୁ ଏକ ପିଣ୍ଡି ନିର୍ମାଣ କରାଯାଇଥିଲା । ପିଣ୍ଡିଟିକୁ ବାଜି ରାଉତଙ୍କ ସ୍ମୁତି ପାଇଁ ଚିରଦିନ ସାଇତି ରଖିବାକୁ ତା ଉପରେ କଂକ୍ରିଟ ଛାତ ପକାଯାଇ ଲାଇଟ୍ ଲଗାଇବା ପାଇଁ ଯୋଜନା କରାଯାଇଥିଲା । ହେଲେ ଇତି ମଧ୍ୟରେ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ । ବାଜି ରାଉତଙ୍କ ବିରତ୍ୱର ଗାଥାକୁ ବହନ କରି ଦଣ୍ଡାୟମାନ ହୋଇଥିବା ସ୍ମୃତି ସ୍ତମ୍ଭଟି ମଧ୍ୟ ଭାଙ୍ଗିଯିବା କୁ ବସିଲାଣି । ତେଣୁ ଖୁବଶିଘ୍ର ଏହାର ମରାମତି ଆବଶ୍ୟକ ହୋଇପଡିଛି । ଖାଲି ସେତିକି ନୁହଁ ନିଳକଣ୍ଠପୁର ଗାଁକୁ ଏବେ ବି ଭଲ ରାସ୍ତା ଖଣ୍ଡେ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ।
ଚଳିତ ବର୍ଷ ବାଜି ରାଉତଙ୍କ ଶତ ବାର୍ଷିକ ଜୟନ୍ତୀ ପାଳନ କରାଯିବ । ଆଉ ଏପଟେ ଗତ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ଭୁବନେଶ୍ଵର ଜନତା ମଇଦାନ ଠାରେ ବାଜି ରାଉତଙ୍କ ଜନ୍ମମାଟିକୁ ବରପୁତ୍ର ଐତିହ୍ୟ ଆଦର୍ଶ ଗ୍ରାମ ଭାବେ ଘୋଷଣା କରିଛନ୍ତି । ଐତିହ୍ୟ ଗ୍ରାମର ବିକାଶ ପାଇଁ ଅର୍ଥରାଶି ମଧ୍ୟ ଘୋଷଣା କରାଯାଇଛି । ଯାହାକୁ ନେଇ ବାଜି ରାଉତଙ୍କ ଜନ୍ମମାଟି ନିଳକଣ୍ଠପୁରରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ନୂତନ ଆଶା ସଞ୍ଚାର ହୋଇଛି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ନିଳକଣ୍ଠପୁର ବାସିନ୍ଦା। ଜିଲ୍ଲାପାଳ କହିଛନ୍ତି ପର୍ଯ୍ୟାୟ କ୍ରମେ ଟଙ୍କା ଆସିବା ପରେ ସମସ୍ତ ବିକାଶ ମୁଳକ କାମ କରାଯିବ।
ବାଜି ରାଉତଙ୍କ ସ୍ମୃତି ସ୍ତମ୍ଭର ପୁନରୁଦ୍ଧାର ସହ ତାଙ୍କ ଜନ୍ମମାଟି ରେ ଥିବା ମୌଳିକ ସମସ୍ୟା ଗୁଡିକର ସମାଧାନ ହେଲେ ତାହା ବାଜି ରାଉତଙ୍କ ପ୍ରତି ଉଚିତ ସମ୍ମାନ ହେବ ବୋଲି ବୁଦ୍ଧିଜୀବି କହିଛନ୍ତି ।
ପ୍ରକାଶ ଯୋଗ୍ୟ, ୧୯୨୬ ମସିହା ଅକ୍ଟୋବର ମାସ ୫ତାରିଖରେ ଭୁବନ ନୀଳକଣ୍ଠପୁରରେ ଜନ୍ମଗ୍ରହଣ କରିଥିଲେ ଦେଶ ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହିଦ୍ ବାଜି ରାଉତ । ୧୯୩୮ ମସିହା ଅକ୍ଟୋବର ୧୧ ଢେଙ୍କାନାଳ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଯେଉଁ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ ହୋଇଥିଲା ସେଥିରେ କୋମଳ ବୟସରେ ଯୋଗ ଦେଇଥିଲେ ବାଜିଆ । ଗୋରା ଫୈ।ଜ ମାନଙ୍କୁ ଡଙ୍ଗା ପାର ନକରିବାରୁ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଇଂରେଜ । ମାତ୍ର ୧୨ ବର୍ଷ ବୟସରେ ସାହସିକତାର ସହ ଦେଶ ପାଇଁ ଜୀବନ ଦେଇ ନିଜ ନାମକୁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଥିଲେ ବାଜି ରାଉତ ।