ଭୁବନେଶ୍ୱର: ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କର ଘରେ ଆଜି ଭିଜିଲାନ୍ସ ଛାପା ମାରିଛି । ଚଢ଼ାଉ ବେଳେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ମାତ୍ର ୮ ବର୍ଷ ଚାକିରି ଭିତରେ ସେ ୧୮ଟି ପ୍ଲଟ୍ କିଣିଥିବା ଜଣାପଡ଼ିଛି । ଭୁବନେଶ୍ୱରରେ ୬ଟି, ଜୟପୁରରେ ୧ଟି ଏବଂ ବ୍ରହ୍ମପୁରରେ ୧୦ଟି ପ୍ଲଟ୍ ରହିଛି । ସେହିପରି ଚଢ଼ାଉ ବେଳେ ୮୫୦ ଗ୍ରାମର ସୁନା ଅଳଙ୍କାର, ବ୍ୟାଙ୍କ ବୀମା, ପୋଷ୍ଟାଲ ଡିପୋଜିଟ୍ ଏବଂ ଅନ୍ୟାନ୍ୟ ଆର୍ଥିକ ବିନିଯୋଗର କାଗଜ ପତ୍ର ମଧ୍ୟ ଜବତ କରାଯାଇଛି ।
ଆୟ ବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ଜୟପୁର ଅତିରିକ୍ତ ପର୍ଯ୍ୟବେକ୍ଷକ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ମଙ୍ଗଳବାର ଚଢ଼ଉ କରିଥିଲା । ଜୟପୁର, ଗଞ୍ଜାମ ଏବଂ ଭୁବନେଶ୍ୱରରେ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଜୟପୁରରେ ଥିବା ତୃତୀୟ ମହଲା ବିଶିଷ୍ଟ ଘର, ଜୟପୁରରେ ବ୍ଲକ୍ କାର୍ଯ୍ୟାଳୟ, ଜୟପୁର ମ୍ୟୁନିସିପାଲଟି କାର୍ଯ୍ୟାଳୟ, ଜୟପୁରରେ ଥିବା ତାଙ୍କ ସ୍ତ୍ରୀଙ୍କ ଡିଆଇଇଟି କାର୍ଯ୍ୟାଳୟ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରେ କୋଲି ସାହିରେ ଥିବା ତାଙ୍କର ପୈତୃକ ଘର ଏବଂ ଭୁବନେଶ୍ୱର ନିଳାଦ୍ରୀ ବିହାରସ୍ଥିତ ସମ୍ପର୍କୀୟଙ୍କ ଘରେ ଯାଞ୍ଚ କରାଯାଉଛି ।
ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସପି, ୨ ଡିଏସପି, ୮ ଇନସ୍ପେକ୍ଟର, ୬ ଏଏସ୍ଆଇ ଓ ଅନ୍ୟ ସହ କର୍ମଚାରୀ ସାମିଲ ହୋଇଛନ୍ତି । ଖବର ଲେଖା ହେବା ବେଳକୁ ତାଙ୍କର ସମ୍ପତିର ଆକଳନ କରାଯାଇ ନ ଥିଲା ।