ପୁରୀ: ଆଜି ହେଉଛି ଭାରତୀୟ ନୌସେନା ଦିବସ । କରାଚି ଉପରେ ଆକ୍ରମଣ ସ୍ମୃତିରେ ଆଜିର ଦିବସକୁ ପାଳନ କରୁଛି ନୌସେନା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ନୌସେନା ଦିବସ ପାଳନ କରାଯାଉଛି । ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ନୌସେନା ଯବାନମାନେ ଜଳ, ସ୍ଥଳ ଓ ଆକାଶ ପଥରେ ବିଭିନ୍ନ ଦୁଃସାହସିକ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ । ପ୍ରାୟ ଦେଢ଼ ଘଣ୍ଟା ଧରି ଏହି ଉତ୍ସବ ପାଳନ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ସେଥିପାଇଁ ରାଷ୍ଟ୍ରପତି ପୁରୀ ପହଁଚି ସାରିଛନ୍ତି ।
ପ୍ରାୟ ଏକ ସପ୍ତାହ ଧରି ଅଭ୍ୟାସ ଜାରି ରହିଥିଲା । ୪ଟି ଯୁଦ୍ଧ ଟ୍ୟାଙ୍କ, ୧୫ଟି ଯୁଦ୍ଧ ଜାହାଜ, ୩୦ଟି ଯୁଦ୍ଧ ହେଲିକପ୍ଟର, ୫ଟି ଯୁଦ୍ଧ ବିମାନ, ଜେଟ୍ ନୌସେନା ଦିବସରେ ସେମାନଙ୍କ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ । ନୌସେନା ପକ୍ଷରୁ ୨୦ଟି ରଣ କୌଶଳ ପ୍ରଦର୍ଶନ କରାଯିବ । ଶେଷରେ ଲେଜର ସୋ' ହେବ ବୋଲି ଆଇଏନ୍ ଏସ୍ ଚିଲିକାର ମୁଖ୍ୟ କମାଣ୍ଡିଂ ଅଧିକାରୀ ଦୀପକ ଅନିଲ ଗଣମାଧ୍ୟମକୁ କହିଛନ୍ତି । ନୌସେନା ଯବାନ ଲଢୁଆ ଯୁଦ୍ଧ ବିମାନ, ହେଲିକପ୍ଟର, ପାରାଚ୍ୟୁଟ୍ ଏବଂ ଯୁଦ୍ଧ ଜାହାଜରୁ ଯୁଦ୍ଧ ରଣ କୌଶଳ ଦେଖାଇବେ ।
ବ୍ଲୁ ଫ୍ଲାଗ୍ ବିଚ୍ ରେ ରାଷ୍ଟ୍ରପତିଙ୍କ ସହିତ ୭୫୦୦ ନିମନ୍ତ୍ରିତ ଅତିଥି ବସିବାର ବନ୍ଦୋବସ୍ତ କରାଯାଇଛି । ପ୍ରଥମ ଥର ପୁରୀରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ନୌସେନାର ପରାକ୍ରମ ଦେଖିବାକୁ ବେଳାଭୂମିରେ ଲୋକଙ୍କ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି । ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀରେ ପୋଲିସ ଓ ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପେଣ୍ଠକଠା ବେଳାଭୂମିରୁ ଷ୍ଟର୍ଲିନ ପର୍ଯ୍ୟନ୍ତ ସାଧାରଣ ଲୋକେ ଶୃଙ୍ଖଳିତ ଭାବେ ପହଞ୍ଚି ନୌସେନର ଏହି ଯୁଦ୍ଧ କୌଶଳ ଦେଖିବାକୁ ୫ଟି ଜୋନ୍ ରେ ୪୦ଟି ଗେଟ୍ କରାଯାଇଛି ।
ସମଗ୍ର ବେଳାଭୂମିରେ ପୂରା ସମୁଦ୍ରକୂଳ ଅଞ୍ଚଳକୁ ସିସିଟିଭି ନଜରରେ ରଖାଯାଇଛି ।ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ୮୫ ପ୍ଲାଟୁନ୍ ପୋର୍ସ, ୩୦୦ ଅଫିସର ମୁତୟନ କରାଯାଇଛି । ସେହିପରି ସାଧାରଣ ପ୍ରଶାସନ ପକ୍ଷରୁ ୮୬ ଜଣ ମାଜିଷ୍ଟ୍ରେଟ, ୨୨ ଜଣ ବରିଷ୍ଠ ଅଧିକାରୀଙ୍କୁ ପୁରୀର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ।