ଭୁବନେଶ୍ୱର : ଭୁବନେଶ୍ୱରର ଏମ୍ସରେ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍ଡି ସ୍ପାଇନ୍ ଓ ଗେଟ୍ ଆନାଲିସିସ୍ ଲ୍ୟାବ୍ ଉଦ୍ଘାଟିତ ହୋଇଯାଇଛି। ପୂର୍ବ ଭାରତରେ ଏହା ହେଉଛି ପ୍ରଥମ ଲ୍ୟାବ । ଭୁବନେଶ୍ୱର ଏମସର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହାର ଶୁଭାରମ୍ଭ କରିଛନ୍ତି । ଏହି ପରିପେକ୍ଷୀରେ ସେ କହିଛନ୍ତି, “ଏହି ଲ୍ୟାବ୍ ଏମ୍ସ ଭୁବନେଶ୍ୱରକୁ ଚିକିତ୍ସା ନିମନ୍ତେ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ସେବା ଯୋଗାଇବାରେ ବିଶେଷ ଭାବେ ସହାୟକ ହେବ। ମାଂସପେଶୀ-ସ୍କେଲେଟାଲ୍ ଅବସ୍ଥା ଏବଂ କ୍ରୀଡ଼ା ଆଘାତଜନୀତ ଚିକିତ୍ସା ଓ ପୁନର୍ବାସ କ୍ଷେତ୍ରରେ ବିଶେଷ ଉନ୍ନତି ଆଣିବ” ବୋଲି ସେ କହିଛନ୍ତି ।
ଶାରୀରିକ ଚିକିତ୍ସା ଏବଂ ପୁନର୍ବାସ ବିଭାଗ (ପିଏମଆର) ପକ୍ଷରୁ ଅର୍ନ୍ତଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ଶୁଭାରମ୍ଭ ହୋଇଛି ଏହି ଉନ୍ନତମାନର ଲ୍ୟାବ । ନୂତନ ଭାବେ ପ୍ରତିଷ୍ଠିତ ଏହି ଲ୍ୟାବ୍ରେ ଉପଲବ୍ସ ରହିଛି ପ୍ରୋଷ୍ଥେଟିକ୍ ଏବଂ ଅର୍ଥୋଟିକ୍ ସେବା, ଅକୁପେସନାଲ୍ ଚିକିତ୍ସା, ଫିଜିଓଥେରାପି ୟୁନିଟ୍ ସମେତ ଅନ୍ୟାନ୍ୟ ଏକାଧିକ ଆନୁସଙ୍ଗିକ ସେବା ।
ଏହି ସମସ୍ତ ସୁବିଧା ଦ୍ୱାରା ପିଏମଆର୍ ବିଭାଗ ରୋଗୀ ସେବା କ୍ଷେତ୍ରରେ ଆହୁରି ଅଧିକ ଦୃଢ଼ ହେବ। ଏହି ଉନ୍ନତ ଜ୍ଞାନକୌଶଳଯୁକ୍ତ ଲ୍ୟାବ୍ ଶରୀରର ଗଣ୍ଠି ଉପରେ ରିଅଲ୍ ଟାଇମ୍ ବାୟୋମେକାନିକାଲ୍ ତଥ୍ୟ ପ୍ରଦାନ କରିବା ସହିତ ମେରୁଦଣ୍ଡ ବିକୃତିର ମୂଲ୍ୟାଙ୍କନ ଏବଂ ସଠିକ୍ ପରିମାଣ ବାବଦରେ ସର୍ବାତ୍ତମ ସୂଚନା ପ୍ରଦାନ କରିଥାଏ। ଷ୍ଟ୍ରୋକ୍, ସ୍କୋଲିଓସିସ୍, ବେକ ଏବଂ ଅଣ୍ଟା ଯନ୍ତ୍ରଣା, ପୋଲିଓ ପରବର୍ତ୍ତୀ ଅବଶିଷ୍ଟ ପକ୍ଷାଘାତ, ମାୟୋପାଥି ଏବଂ ନ୍ୟୁରୋପାଥି ପରି ଅବସ୍ଥାର ପରିଚାଳନା ପାଇଁ ଏହା ବିଶେଷ ଲାଭଦାୟକ ଅଟେ।
କ୍ରୀଡ଼ାବିତଙ୍କ ପାଇଁ ଏହି ଲ୍ୟାବ୍ ବିଶେଷ ଲାଭପ୍ରଦ ହେବ । କ୍ରୀଡ଼ା ପୁନର୍ବାସ ପାଇଁ ରିଅଲ୍-ଟାଇମ୍ ବିଶ୍ଳେଷଣ ପ୍ରଦାନ କରିବା ସହିତ କ୍ରୀଡ଼ାବିତଙ୍କ ପୁନରୁଦ୍ଧାର ଏବଂ କାର୍ୟ୍ୟଦକ୍ଷତା ବୃଦ୍ଧିରେ ସାହାଯ୍ୟ କରିବ। ସେହିପରି ପିଏମଆର ବିଭାଗ ମୁଖ୍ୟ ଡ. ଜଗନ୍ନାଥ ସାହୁ କହିଛନ୍ତି, “ଚିହ୍ନଟ ହୋଇପାରୁନଥିବା ଯେକୌଣସି ସାଧାରଣ ଆଘାତର ପରିମାଣକୁ ସଠିକ୍ ମୂଲ୍ୟାଙ୍କନ କରିବା ଏବଂ ଏହାର ଚିକିତ୍ସା କ୍ଷେତ୍ରରେ ଏହି ଲ୍ୟାବ୍ ଅନନ୍ୟ ଫଳାଫଳ ପ୍ରଦାନ କରିବ” । ଉଦଘାଟନ ଅବସରରେ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡ. ଆର୍ ଏନ୍ ସାହୁ, ନ୍ୟୁରୋଲୋଜି ବିଭାଗ ମୁଖ୍ୟ ଡ. ସଞ୍ଜୀବ କୁମାର ଭୋଇ, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ, ଅଧୀକ୍ଷଣ ଯନ୍ତ୍ରୀ ଆର୍ ପି ଟପ୍ପୋ ପ୍ରମୁଖ ଉପସ୍ଥିତ ଥିଲେ।
ଅଧିକ ପଢନ୍ତୁ: ‘ମୁଁ ଧୋନୀଙ୍କ ସହ କଥା ହୁଏନି’: ସାକ୍ଷାତକାରରେ କାହିଁକି ଏପରି କହିଲେ ହରଭଜନ ସିଂ