ନବରଙ୍ଗପୁର : ଛାତରୁ ଫ୍ୟାନ୍ ଖସି ଆହତ ହେଲେ ଶିକ୍ଷୟିତ୍ରୀ । ଶ୍ରେଣୀ ଗୃହରେ ଡ୍ରେସ୍ ବାଣ୍ଟୁଥିଲା ବେଳେ ହଠାତ୍ ଛାତରୁ ଖସିପଡ଼ିଲା ଫ୍ୟାନ୍। ଯାହାଫଳରେ ଆହତ ହୋଇଛନ୍ତି ପ୍ରଧାନଶିକ୍ଷୟିତ୍ରୀ। ସୌଭାଗ୍ୟବଶତଃ ଛାତ୍ରଛାତ୍ରୀମାନେ ସୁରକ୍ଷିତ ଅଛନ୍ତି। ଏପରି ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ବ୍ଲକ୍ କରଣ୍ଡିଆଗୁଡା ଗାଁର ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ଆଜି ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଉଥିଲା। ପ୍ରଧାନଶିକ୍ଷୟିତ୍ରୀ ନମିତା ରାୟଙ୍କ ପିଲାମାନଙ୍କୁ ପୋଷାକ ବାଣ୍ଟୁଥିଲେ। ଠିକ୍ ସେତିକି ବେଳେ ଛାତରୁ ଫ୍ୟାନ୍ ଖସି ପଡ଼ିଥିଲା। ଫଳରେ ଫ୍ୟାନର ଡେଣା ପ୍ରଧାନଶିକ୍ଷୟିତ୍ରୀଙ୍କ ମୁଣ୍ଡର ବାମ ପାର୍ଶ୍ୱରେ ବାଜିଥିଲା। ଯେଉଁଥିପାଇଁ ସେ ତଳେ ପଡ଼ି ଯାଇ ଆହତ ହୋଇଥିଲେ। ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ। ଏହି ଘଟଣାରେ ତାଙ୍କ ବ୍ଯତୀତ କୌଣସି ଛାତ୍ରଛାତ୍ରୀ ଆହତ ହୋଇନଥିବା ଜଣା ପଡିଛି ।
ଯାହା ସୂଚନା ରହିଛି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଶ୍ରେଣୀଗୃହରେ ପିଲାମାନେ ବସି ପାଠ ପଢ଼ୁଛନ୍ତି। ବର୍ଷା ଦିନେ ଶ୍ରେଣୀ ଗୃହ ଛାତରୁ ପାଣି ଗଳୁଥିବା ବେଳେ କଂକ୍ରିଟ୍ ଖଣ୍ଡ ଖସୁଛି। ଶ୍ରେଣୀ ଗୃହ କାନ୍ଥରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ପ୍ରତିକ୍ଷଣେ ଜୀବନ ପ୍ରତି ବିପଦ ରହିଛି। ତଥାପି ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶ୍ରେଣୀ ଗୃହରେ ବସି ପାଠ ପଢ଼ୁଛନ୍ତି।ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।