ଭୁବନେଶ୍ୱର: ଡିସେମ୍ବର ୨୫ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ରାଜ୍ୟ ସରକାରଙ୍କ ବହୁ ମହାତ୍ୱାକାଂକ୍ଷୀ ଯୋଜନାରେ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟର ଟଙ୍କା ମିଳିବ । ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବା ପାଇଁ ଯାଞ୍ଚ ଚାଲିଛି । ଏ ନେଇ ବୁଧବାର ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗର ସୂଚନା ଅନୁଯାୟୀ, ଡିସେମ୍ବର ୬ ସୁଦ୍ଧା ପ୍ରକାଶ ପାଇବ ଯୋଗ୍ୟ ଅଯୋଗ୍ୟ ତାଲିକା । ବ୍ଲକ, ସହରାଞ୍ଚଳ, ମହାନଗରନିଗମ ସ୍ତରରେ ତାଲିକା ପ୍ରକାଶ ପାଇବ । ଏହା ପରେ ଆଉ ସାତ ଦିନ ପର୍ଯ୍ୟନ୍ତ ଆପତ୍ତି ଗ୍ରହଣ କରାଯିବ । ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାୱାରୀ ଯାଞ୍ଚ ଆରମ୍ଭ ହୋଇଛି। ଯେଉଁ ସ୍ଥାନ ଗୁଡ଼ିକରେ କମ ପଞ୍ଜିକରଣ ହୋଇଛି ସେହି ସ୍ଥାନକୁ ସରକାର ଫୋକସରେ ରଖିଛନ୍ତି। ଏହା ବ୍ୟତୀତ ଯେଉଁ ସବୁ ଜିଲ୍ଳାରେ ଅଧିକ ଆବେଦନ ଖାରଜ ହୋଇଛି, ସେହି ସ୍ଥାନଗୁଡ଼ିକରେ ସିଡିପିଓଙ୍କ ତତ୍ତ୍ୱାବଧାନରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଆବେଦନ ଖାରଜ ହୋଇଥିବା ହିତାଧିକାରୀ ଅସନ୍ତୋଷ ପ୍ରକାଶ କରିବା ପରେ ସରକାର ସତର୍କ ହୋଇଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ୨୪ ତାରିଖରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିଥିଲା । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ଼ ଗସ୍ତରେ ଆସି ସ୍ଥାନୀୟ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆରେ ଆୟୋଜିତ ବିଶାଳ ସମାବେଶରେ ୧୦ ଜଣ ମହିଳାଙ୍କୁ ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତିର ଡମି ଚେକ୍ ଦେଇଥିଲେ । ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ପ୍ରାୟ ୮୦ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରିସାରିଛନ୍ତି। ଆହୁରି ୨୦ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରୁ ଉପକୃତ ହେବାକୁ ଆଶା ରଖିଛନ୍ତି।